ଓଡ଼ିଶା 365 (ବ୍ୟୁରୋ): ସେ ବନ୍ଧୁ ନଥିଲା ବାସ୍ତବରେ ସେ ବନ୍ଧୁନାଁରେ ଥିଲା ଭୟଙ୍କର ଶତ୍ରୁଟେ । ସାଙ୍ଗ ପରି ପବିତ୍ର ସମ୍ପର୍କରେ ଲାଗାଇଲା ରକ୍ତର ଛିଟା । ସାମାନ୍ୟା ବଚସାରୁ ହେଲା ରକ୍ତପାତ । କାଠଫାଳିଆରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁଇ ସାଙ୍ଗ । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସାଳିଜଙ୍ଗା ପଞ୍ଚାୟତର ଚାରିବାଟିଆ ଗ୍ରାମରେ । ମୃତକ ହେଉଛନ୍ତି ସାଗର ନାୟକ । ବୁଧବାର ରାତିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ଗିରଫ ଅଭିଯୁକ୍ତ ହେଉଛି ପ୍ରତାପ ବେହେରା ।ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଏକ ପାନ ଦୋକାନରେ ମୃତ ସାଗର ନାୟକ ପାନ ଖାଉଥିଲେ । ଏହି ସମୟରେ ଚାରିବାଟିଆ ଗ୍ରାମର ଦିଲୁ ସାମଲ ଓ ପ୍ରତାପ ବେହେରା ହଠାତ ଏକ କାଠ ଫଳିଆରେ ସାଗର ନାୟକଙ୍କ ମୁଣ୍ଡକୁ ଛେଚି ଚାଲିଥିଲେ । ଫଳରେ ସାଗର ନାୟକ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ଘଟଣା ସ୍ଥଳରେ ସାଗରର ମୃତ୍ୟୁ ହେବା ପରେ ଅଭିଯୁକ୍ତ ଦିଲୁ ଓ ପ୍ରତାପ ଫେରାର ହୋଇ ଯାଇଥିଲେ । ଏନେଇ ଖବର ପାଇଁ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ପ୍ରତାପକୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଦିଲୁ କିନ୍ତୁ ଫେରାର ରହିଛି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମୃତ ସାଗର, ଅଭିଯୁକ୍ତ ଦିଲୁ ଓ ପ୍ରତାପ ତିନିଜଣ ଭଲ ସାଙ୍ଗ ଥିଲେ । ପୂର୍ବରୁ କୌଣସି କାରଣରୁ ତିନିଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଥାନାରେ ମାମଲା ମଧ୍ୟ ହୋଇଥିଲା । ବୁଧବାର ରାତିରେ ମୃତ ସାଗର ଏକ ପାନ ଦୋକାନରେ ଛିଡା ହୋଇଥିବା ବେଳେ ଦିଲୁ ଓ ପ୍ରତାପ ଆସି ସେଠାରେ ପହଞ୍ଚି ଥିଲେ । ଏହାପରେ ତିନି ଜଣଙ୍କ ମଧ୍ୟରେ ବଚସା ହେବା ପରେ ହଠାତ୍ ପ୍ରତାପ ଓ ଦିଲୁ ପାଖରେ ପଡିଥିବା ଏକ କାଠ ଫଳିଆରେ ସାଗରକୁ ଆକ୍ରମଣ କରିଥିଲେ । ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଦିଲୁ ଓ ପ୍ରତାପ ଆକ୍ରମଣର ଧମକ ଦେଉଥିଲେ । ଶେଷରେ ସାଗରକୁ ପିଟି ପିଟି ହତ୍ୟା କରିବା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ତେବେ ତିନି ଜଣଙ୍କ ମଧ୍ୟରେ କଣ ରହିଥିଲା ବିବାଦ, କେଉଁ କାରଣରୁ କେନ୍ଦ୍ର କରି ସାଗରଙ୍କୁ ତାଙ୍କ ଦୁଇ ସାଙ୍ଗ ପିଟି ପିଟି ହତ୍ୟା କଲେ ସେନେଇ ପୁଲିସର ତଦନ୍ତ ଜାରିରଖିଛି ।