ଓଡ଼ିଶା 365 (ବ୍ୟୁରୋ): ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଅନୁଗୋଳବାସୀ। ଦିନକୁ ଦିନ ଜିଲ୍ଲାରେ ବଢିଚାଲିଛି ହାତୀ ଆତଙ୍କ । କେତେବେଳେ ହାତୀ ମୃତ୍ୟୁର ଖବର ଆସୁଛି ତ ଆଉ କେତେବେଳେ ହାତୀ ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି । କେଉଁଠି ହାତୀ ପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଛି । ଏହି କ୍ରମରେ ଆଜି ଅନୁଗୁଳ ବନଖଣ୍ଡ କୁମୁରିସିଂହା ପଞ୍ଚାୟତ ପାତେଳି ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଶଙ୍କର ବିଶ୍ବାଳ ଏବଂ ଝିଲି ମାଝି ବୋଲି ଜଣାପଡିଛି । ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଶଙ୍କର ଓ ଝିଲି ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ହାତୀ ଦୁଇ ଜଣଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।