ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥି ପାଇଁ ଅଧିକାଂଶ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ବାକି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେପଟେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇଲାଣି। ଏବେ ୧୧ ଜିଲ୍ଲାରେ ଏହି ପରିସ୍ଥିତି ଦେଖିବାକୁ ମିଳିଛି। ଜୁନ୍ ପହିଲାରୁ ଅଗଷ୍ଟ ୨୩ ମଧ୍ୟରେ ସ୍ବାଭାବିକ ଭାବେ ୮୩୧.୮ ମିମି ବର୍ଷା ହେବା କଥା । ମାତ୍ର ଏବେ ସୁଦ୍ଧା ୭୫୦ ମିମି ବର୍ଷା ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଥିବା ବେଳେ ଗୋଟିଏରେ ଅଧିକ ଓ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି । ୨ ଦିନ ପରେ ବର୍ଷା କମିବା ନେଇ ଆକଳନ କରାଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ହେବ । ମାତ୍ର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ । ବର୍ତ୍ତମାନ ମୌସୁମୀ ଟ୍ରଫ୍ ସ୍ବାଭାବିକରୁ ଉତ୍ତରକୁ ଯାଇ ହିମାଳୟ ପାଦଦେଶରେ ରହିଛି । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତର ବାଂଲାଦେଶ ଓ ଉତ୍ତର ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ରହିବ, ଯାହାକି ଓଡ଼ିଶାରେ ବର୍ଷା କରାଇବ ନାହିଁ । ୨୯ ଓ ୩୦ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯଦି ତାହା ହୁଏ ତେବେ ତାହା ୨୪ ଘଣ୍ଟା ଭିତରେ ଅସଙ୍ଗଠିତ ହୋଇ ଅପସରି ଯିବ। ଫଳରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୌସୁମୀ ବ୍ରେକ୍ ରହିବ । ଏବେ କୌଣସି ଲଘୁଚାପ ସଙ୍କେତ ମିଳୁନାହିଁ ।