ଓଡ଼ିଶା 365 (ବ୍ୟୁରୋ): ଅସୁସ୍ଥ ଅଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଜାରି ରହିଛି ଚିକିତ୍ସା । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏହା ସହ ଚିକତ୍ସା ସହାୟତା ପାଇଁ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ ।
ସୂଚନାଯୋଗ୍ୟ, ୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା’ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।
ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।