ଓଡ଼ିଶା 365 (ବ୍ୟୁରୋ): ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରୁ। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ପୁଲିସ।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିଲେ। ହେଲେ ଗିରଫ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ ଦସ୍ତଖତ ମଧ୍ୟ ମାରି ଦେଇଥିଲେ। ଏନେଇ ପରୀକ୍ଷା ନିୟନ୍ତ୍ରକ କଲେଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ ଡାକି ପଚରାଉଚରା କରିଥିଲେ। ପରେ କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ। ଏହାସହ ଅଧ୍ୟାପିକାଙ୍କ ନାଁରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଦଳା ଥାନା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଅଧ୍ୟାପିକାଙ୍କୁ ଗିରଫ କରିଛି।