ଓଡ଼ିଶା365(ବ୍ୟୁରୋ): ଆଜି ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-3ର ଲ୍ୟାଣ୍ଡର୍ ମଡ୍ୟୁଲ୍। ଏହାର ସଫଳ ଲ୍ୟାଣ୍ଡିଂ ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ଭାବରେ ଇତିହାସ ରଚିବ । ଇସ୍ରୋର ଏହି ମିଶନ ଉପରେ ଭାରତ ସମେତ ସାରା ଦେଶର ନଜର ରହିଛି । ତେବେ ଆସନ୍ତୁ ଚନ୍ଦ୍ର ବିଷୟରେ ଜାଣିବା ୧୦ଟି ଅଜଣା କଥା ।
୧. ଚନ୍ଦ୍ରର ଆକାର ଗୋଲ ନୁହେଁ-
ପୂର୍ଣ୍ଣମି ତିଥିରେ ଆପଣ ଚନ୍ଦ୍ରକୁ ଗୋଲାକାର ଭାବରେ ଦେଖିଥିବେ । ମାତ୍ର ବାସ୍ତବରେ ଚନ୍ଦ୍ର ଗୋଟିଏ ଉପଗ୍ରହ ଭାବରେ କୌଣସି ବଲ୍ ପରି ଗୋଲ ନୁହେଁ । ଚନ୍ଦ୍ର ହେଉଛି ଅଣ୍ଡାକାର ଆକୃତିର । ତେଣୁ ଚନ୍ଦ୍ର ଆଡ଼କୁ ଦେଖିବା ବେଳେ ଏହାର କିଛି ଅଂଶ ନଜର ଆସିଥାଏ ।
୨. ଚନ୍ଦ୍ର ସମ୍ପୂର୍ଣ୍ଣ ଦୃଶ୍ୟମାନ ହୁଏନାହିଁ-
ଯେତେବେଳେ ଆପଣ ଚନ୍ଦ୍ରକୁ ଦେଖୁଛନ୍ତି, ସେତେବେଳେ ଏହାର ସର୍ବାଧିକ ୫୯ ପ୍ରତିଶତ ହିଁ ଆପଣ ଦେଖିପାରନ୍ତି । ଏହାର ୪୧ ପ୍ରତିଶତ ପୃଥିବୀ ପୃଷ୍ଠରେ ନଜର ଆସେନାହିଁ । ଏମିତି ମଧ୍ୟ କୁହାଯାଏ, ଯଦି ଆପଣ ଅନ୍ତରୀକ୍ଷକୁ ଯାଇ ଏହାର ୪୧ ପ୍ରତିଶତ ଅଂଶରେ ଛିଡ଼ା ହୁଅନ୍ତି, ତେବେ ଆପଣଙ୍କୁ ପୃଥିବୀପୃଷ୍ଠ ମଧ୍ୟ ଦେଖାଯିବ ନାହିଁ ।
୩. ବ୍ଲୁମୁନ୍ ଶବ୍ଦ ପଛର କାହାଣୀ-
କୁହାଯାଏ ଚନ୍ଦ୍ର ସହ ଜଡ଼ିତ ବ୍ଲୁମୁନ୍ ଶବ୍ଦ ପ୍ରଥମ ଥର ପାଇଁ ୧୮୮୩ ମସିହାରେ ଶୁଣିବାକୁ ମିଳିଥିଲା । ଇଣ୍ଡୋନେସିଆ ଦ୍ୱୀପ କ୍ରାକାତୋଆରେ ହୋଇଥିବା ଜ୍ୱାଲାମୁଖୀ ବିସ୍ଫୋଟ କାରଣରୁ ଏହି ଶବ୍ଦର ବ୍ୟବହାର ହୋଇଥିଲା । ଏହା ପୃଥିବୀର ଇତିହାସରେ ସବୁଠାରୁ ଭୟଙ୍କର ଓ ଘାତକ ଜ୍ୱାଲାମୁଖୀ ବିସ୍ଫୋରଣ ଭାବରେ ଗଣତି କରାଯାଏ । ଏହି ବିସ୍ଫୋରଣର ଶବ୍ଦ ପଶ୍ଚିମ ଅଷ୍ଚ୍ରେଲିଆର ଅନେକ ଅଞ୍ଚଳକୁ ଶୁଭିଥିଲା । ଆକାଶରେ ନିଆଁ ବ୍ୟାପିଯାଇଥିଲା । ଉତ୍ତାପ ଏତେ ଅଧିକ ଥିଲା ଯେ ଚନ୍ଦ୍ର ନିଳ ରଙ୍ଗ ଭାବରେ ଦେଖାଯାଇଥିଲା ।
୪.ସିକ୍ରେଟ ପ୍ରୋଜେକ୍ଟ ଉପରେ ହେଉଛି କାମ
ପୃଥିବୀରେ ଏକ ସମୟ ଏମିତି ଥିଲା, ଯେତେବେଳେ ଚନ୍ଦ୍ର ଉପରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ଆମେରିକା ବିଚାର କରୁଥିଲା । ଏମିତି କରି ଆମେରିକା ସୋଭିଏତ ସଂଘକୁ ଦେଖାଇବାକୁ ଚାହୁଁଥିଲା ଯେ ସେ କେତେ ଶକ୍ତିଶାଳୀ । ଏହି ସିକ୍ରେଟ ପ୍ରୋଜେକ୍ଟର ନାମ ଥିଲା ‘ଏ ଷ୍ଟଡି ଅଫ୍ ଲୁନାର ରିସର୍ଚ୍ଚ ଫାଇଟ୍ସ’ ‘A119’।
୫. ଏଠାରେ କେମିତି ହୋଇଛି ଖାଲ
ତେବେ ବର୍ତ୍ତମାନ ଇସ୍ରୋ ଚନ୍ଦ୍ରର କିଛି ଫଟୋ ଜାରି କରିଛି । ଯେଉଁଥିରେ ଲୋକମାନଙ୍କୁ ଚନ୍ଦ୍ରରେ ଗର୍ତ୍ତ ବା ଖାଲ ଥିବା ନଜର ଆସିଛି । ତେବେ ଏହି ଖାଲ ପାଖାପାଖି ୪ ଅରବ ବର୍ଷ ପୂର୍ବରୁ ରହିଛି । ଉଲକା ପିଣ୍ଡ ସହ ଧକ୍କା ହେବା କାରଣରୁ ଏହି ସବୁ ଗର୍ତ୍ତ ସୃଷ୍ଟି ହୋଇଛି । ଏହି ଗର୍ତ୍ତ ବା ଖାଲକୁ ଇମ୍ପେକ୍ଟ କ୍ରେଟର ମଧ୍ୟ କୁହାଯାଏ ।
୬. ପୃଥିବୀର ଗତିକୁ ହ୍ରାସ କରିଥାଏ ଚନ୍ଦ୍ର
ଚନ୍ଦ୍ର ପୃଥିବୀର ଗତି ମନ୍ଥର କରୁଛି। ଯେତେବେଳେ ଏହା ପୃଥିବୀର ଅତି ନିକଟତର ହୁଏ, ଏହାକୁ ପେରିଗ୍ରି କୁହାଯାଏ। ସେତେବେଳେ ଜୁଆର ଏବଂ ଭଟ୍ଟାର ସ୍ତର ସାମାନ୍ୟଠାରୁ ବହୁତ ଅଧିକ ହୋଇଯାଇଥାଏ । ଏହି ସମୟରେ ଚନ୍ଦ୍ର ପୃଥିବୀର ଘୁର୍ଣ୍ଣନ ପ୍ରକ୍ରିୟାର ଶକ୍ତିକୁ କମ୍ କରିଦେଇଥାଏ । ଯେଉଁଥିପାଇଁ ପୃଥିବୀ ପ୍ରତ୍ୟେକ ଶତାବ୍ଦୀରେ ୧.୫ ମିଲିସେକେଣ୍ଡ ପର୍ଯ୍ୟନ୍ତ ଗତି ହ୍ରାସ ପାଉଛି।
୭. ଚନ୍ଦ୍ରରେ ଆଲୋକର ରହସ୍ୟ-
ପୂର୍ଣ୍ଣମୀର ଚନ୍ଦ୍ର ଲୋକମାନଙ୍କୁ ଆଲୋକରେ ପରିପୂର୍ଣ୍ଣ ଦେଖାଯାଏ। ଏମିତି ଲାଗେ ସତେଯେମିତି ଏହାଠାରୁ ଅଧିକ ଉଜ୍ଜ୍ୱଳ ବୋଲି ଆଉ କିଛି ନାହିଁ। କିନ୍ତୁ ଏହି ପୂର୍ଣ୍ଣିମାର ଏହି ଚନ୍ଦ୍ର ଅପେକ୍ଷା ସୂର୍ଯ୍ୟ ୧୪ ଗୁଣ ଅଧିକ ଉଜ୍ଜ୍ୱଳ ।
୮. ସଙ୍କୁଚିତ କି ବିସ୍ତାର ହେଉନାହିଁ ଚନ୍ଦ୍ର
ଲିଓନାର୍ଡୋ ଡା ଭିନସି ପ୍ରଥମ ବ୍ୟକ୍ତି ଯିଏ ଚନ୍ଦ୍ର ସଂକୁଚିତ ହେଉନାହିଁ କିମ୍ବା ବିସ୍ତାର ହେଉନାହିଁ ବୋଲି ପ୍ରଥମେ କହିଥିଲେ । ଏହାର ମାତ୍ର କିଛି ଅଂଶ ଆମ ଆଖିକୁ ଦୃଶ୍ୟମାନ ହେଉଥିବା ସେ ପ୍ରମାଣିତ କରିଥିଲେ ।
୯. କ୍ରେଟରର ନାମ କେମିତି ରଖାହୋଇଛି-
ଇଣ୍ଡରନ୍ୟାସନାଲ ଏଷ୍ଟାନମିକଲ ୟୁନିଅନର କାମ ହେଉଛି ଚନ୍ଦ୍ରରେ ଥିବା ଗର୍ତ୍ତ ସହ ବାହାରୁଥିବା ବିଭିନ୍ନ ବସ୍ତୁର ନାମ ରଖିବା । ଏହି ଗର୍ତ୍ତ ଅର୍ଥାତ କ୍ରେଟର୍ସର ନାମ ଜଣାଶୁଣା ବୈଜ୍ଞାନିକ, କଳାକାରଙ୍କ ନାମ ଅନୁସାରେ ରଖାଯାଇଛି ।
୧୦. କାହିଁକି ରହସ୍ୟମୟ ଦକ୍ଷିଣୀ ମେରୁ-
ଚନ୍ଦ୍ରଯାନ-3 ଚନ୍ଦ୍ରର ଯେଉଁ ଦକ୍ଷିଣମେରୁ କ୍ଷେତ୍ରରେ ଓହ୍ଲାଇବାକୁ ପ୍ରୟାସ କରୁଛି ତାହା ଅଧିକ ରହସ୍ୟମୟ ବୋଲି କୁହାଯାଏ । ନାସାର କହିବା କଥା ଏଠାରେ ଅନେକ ଗର୍ତ୍ତ ଏବଂ ପାହାଡ଼ ଅଛି, ଯାହାର ଛାଇ ଅଞ୍ଚଳରେ ଅରବ ବର୍ଷ ଧରି ସୂର୍ଯ୍ୟଙ୍କ କିରଣ ପଡ଼ିନାହିଁ । ଚନ୍ଦ୍ରର ଏହି ଦକ୍ଷୀଣମେରୁ କ୍ଷେତ୍ର ପାଖାପାଖି ଅଢ଼େଇ ହଜାର କିଲୋମିଟର ଚୌଡ଼ା ବା ଓସାର । ଏହାସହ ୮ କିଲୋମିଟର ଗଭୀର ଗର୍ତ୍ତ କ୍ଷେତ୍ରରେ ଏହା ଅବସ୍ଥିତ । ଏହି ଗଭୀର ଗର୍ତ୍ତକୁ ସୌରମଣ୍ଡଳ ଅର୍ଥାତ ସୋଲାର ସିଷ୍ଟମର ସବୁଠାରୁ ପୁରୁଣା ଇମ୍ପେକ୍ଟ କ୍ରେଟର ମଧ୍ୟ କୁହାଯାଇଥାଏ । ଇମ୍ପେକ୍ଟ କ୍ରେଟର କୌଣସି ଗ୍ରହ କିମ୍ବା ଉପଗ୍ରହରେ ଥିବା ଗର୍ତ୍ତକୁ କୁହାଯାଏ । ଯାହା କୌଣସି ଉଲକାପିଣ୍ଡ କିମ୍ବା ଗ୍ରହର ଧକ୍କା ହେବା ଫଳରେ ସୃଷ୍ଟି ହୋଇଥାଏ ।