ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଜେଲ୍। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା ପରେ ପାରାଦୀପ ଜେଲକୁ ପଠାଇ ଦିଆଯାଇଛି। ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ। ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ଛାତ୍ରୀଙ୍କ ମୃତ୍ୟୁ କିଛି ଦିନ ତଳେ ଏକ ଅଡିଓ ଭାର ୨ ମାସ ପରେ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି ସୂଚନା ରହିଛି। ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା।