ଓଡ଼ିଶା 365 (ବ୍ୟୁରୋ): ଡରାଉଛି ପରିବା ଦର ବୃଦ୍ଧି ।କଣ ଖାଇବେ କଣ ଖାଇବେନି ଏନେଇ ଚିନ୍ତାରେ ଖାଉଟି । ପ୍ରଥମେ ଟମାଟୋ ପୁଣି ଏବେ ପିଆଜ । ଲଗାତାର ଦୁଇମାସ ହେବ ଟମାଟୋ ଦର ୧୦୦-୧୨୦ ପାରହୋଇଥିବା ବେଳେ ସାମାନ୍ୟ ଆଶ୍ୱସ୍ତି ମିଳିନି, ଏଣେ କନ୍ଦାଇଲାଣି ପିଆଜ ଚିନ୍ତା । ଦୁଇ ମାସ ହେଲାଣି ବଜାରରେ ଟମାଟୋ ପାଖ ମାଡୁ ନାହାନ୍ତି ଖାଉଟି। ଦେଖିବାମାତ୍ରେ କେବଳ ଦାମ ପଚାରି ମୁହଁ ବୁଲାଇ ପଳାଉଛନ୍ତି। ସେପଟେ ଟମୋଟୋ ଭଳି ପିଆଜ ଏବେ ଖାଉଟିଙ୍କୁ ଅଧିକ କନ୍ଦାଇବାକୁ ଯାଉଛି। ମାସକ ମଧ୍ୟରେ ଅର୍ଥାତ ଅଗଷ୍ଟ ଶେଷ ଆଡକୁ ପିଆଜ । ହଁ ଆଜ୍ଞା ଦିନକୁ ଦିନ ଜରୁରୀ ସାମଗ୍ରୀର ଦରଦାମ୍ ବଢ଼ିବାରେ ଲାଗିଥିବା ବେଳେ ପନିପରିବାର ଦାମ୍ ମଧ୍ୟ ଆକାଶ ଛୁଆଁ ରହିଛି । ବଜାରରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇବା ପରେ ଏବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ ଘରୋଇ ବଜାରରେ ପିଆଜର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ପିଆଜର ମୂଲ୍ୟକୁ କାବୁ କରିବା ପାଇଁ ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଶନିବାର ଅର୍ଥମନ୍ତ୍ରୀ ଏକ ବିଜ୍ଞପ୍ତି ଜରିଆରେ ଦେଇଥିବା ସୂଚନା ଅନୁସାରେ, ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶରୁ ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ଲାଗୁ କରାଯିବ । ପୂର୍ବ କିଛି ସପ୍ତାହ ଧରି ପିଆଜ, ଆଳୁ ଓ ଟମାଟୋ ସମେତ ଅନ୍ୟ ପନିପରିବାର ଦରଦାମ ବୃଦ୍ଧି ପାଇଛି । ଆଶଙ୍କା କରାଯାଉଇଛି ଯେ, ସେପ୍ଟେମ୍ବର ମାସରେ ପିଆଜ ଦର ଆହୁରି ବୃଦ୍ଧି ପାଇପାରେ । ବର୍ତ୍ତମାନ କିଗ୍ରା ପ୍ରତି ୩୦-୪୦ଟଙ୍କାରେ ବିକ୍ରି ହେଉଥିବା ପିଆଜ ସେପ୍ଟେମ୍ବର ମାସରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପଢ଼ିପାରେ ।
ଅକ୍ଟୋବରରେ ନୂତନ ଫସଲ ଆସିବା ପର୍ଯ୍ୟନ୍ତ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଲକ୍ଷ୍ୟ ରଖି ସରକାର ଗତ ସପ୍ତାହରେ ନିର୍ଦ୍ଦିଷ୍ଟ ଅଞ୍ଚଳ ବଫର ଷ୍ଟକ୍ରୁ ପିଆଜକୁ କାଢ଼ିବା ପାଇଁ ଘୋଷଣା କରିଥିଲେ । ଏହାସହ ସରକାର ଇ-ନିଲାମ, ଇ-କମର୍ସ ପ୍ଲାଟଫର୍ମ ଓ ରାଜ୍ୟ ସରକାରଙ୍କ ସହ ସହଯୋଗିତା ଚ୍ୟାନେଲ ମାଧ୍ୟମରେ ଗ୍ରାହକଙ୍କୁ ସୁଲଭ ମୁଲ୍ୟରେ ପିଆଜ ଯୋଗାଇ ଦେବାପାଇଁ ଚେଷ୍ଟା କରୁଛନ୍ତି ।
ବର୍ତ୍ତମାନ ସରକାର ସ୍ୱଳ୍ପ ଯୋଗାଣ ସମୟରେ ପିଆଜର ମୂଲ୍ୟ ବୃଦ୍ଧି ପାଇବା ଅନୁମାନ କରି ମୂଲ୍ୟ ନିୟନ୍ତ୍ରଣ ଫଣ୍ଡ ମାଧ୍ୟମରେ 3ଲକ୍ଷ ଟନ୍ ପିଆଜ ଗଚ୍ଛିତ କରି ରଖିଛନ୍ତି ।
ତେବେ ସରକାରୀ ସୂଚନା ଅନୁସାରେ, ଗତ କିଛି ଦିନ ଭିତରେ ପିଆଜ ଦରରେ ସାମାନ୍ଯ ବୃଦ୍ଧି ପାଇଛି । ଅଗଷ୍ଟ ୧୦ରେ ସର୍ବଭାରତୀୟ ସ୍ତରରେ ପିଆଜ କିଲୋଗ୍ରାମ ପିଛା ମୂଲ୍ୟ ୨୭.୯୦ ଟଙ୍କା ଥିବା ବେଳେ ଏହା ଗତବର୍ଷ ଏହି ସମୟରେ ଥିବା ପିଆଜ ଦାମ୍ ତୁଳନାରେ ପ୍ରାୟ 2ଟଙ୍କା ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଟମାଟୋ କିଗ୍ରା ପ୍ରତି ୧୫୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ପିଆଜ ଦର ବୃଦ୍ଧି ପାଇବାକୁ ନେଇ ଖାଉଟିମାନେ ଚିନ୍ତା ପ୍ରକଟ କରିଛନ୍ତି ।