ଆସନ୍ତାକାଲି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ପାଇଁ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ଏହାରି ଭିତରେ ଶେଷ ୧୫ମିନିଟରେ ଚନ୍ଦ୍ରଯାନ-୩ର ଲାଣ୍ଡିଂ କେମିତି ହେବ ଏବଂ କେଉଁ ସବୁ ବଡ଼ ବଡ଼ ପରିବର୍ତ୍ତନ କରାଯିବ, ତା’ର ପୂରା ସୂଚନା ସାମ୍ନାକୁ ଆସିଛି।
୧. ପ୍ରଥମେ ବିକ୍ରମ ଲ୍ୟାଣ୍ଡର୍ ୨୫କିଲୋମିଟର ଉଚ୍ଚତାରୁ ଚନ୍ଦ୍ରରେ ଅବତରଣ କରିବାର ଯାତ୍ରା ଆରମ୍ଭ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବାକୁ ବିକ୍ରମ ଲ୍ୟାଣ୍ଡରକୁ ପ୍ରାୟ ୧୧.୫ ମିନିଟ୍ ସମୟ ଲାଗିବ। ଏହା ପରେ ବିକ୍ରମ ଲ୍ୟାଣ୍ଡର ୭.୪ କିଲୋମିଟର ଉଚ୍ଚତାରେ ପହଞ୍ଚିବ।
୨. ୭.୪ କିଲୋମିଟର ଉଚ୍ଚତାରେ ପହଞ୍ଚିବା ବେଳକୁ ଏହାର ଗତି ସେକେଣ୍ଡ ପିଛା ୩୫୮ମିଟର ହୋଇଯାଇଥିବ। ଏହା ପରେ ବିକ୍ରମ ଲ୍ୟାଣ୍ଡର ୬.୮ କିମି ଉଚ୍ଚତାରେ ପହଞ୍ଚିବା ସହ ସେତେବେଳେ ଏହାର ଗତି ସେକେଣ୍ଡ ପିଛା ୩୩୬ମିଟର ଥିବ।
୩. ସେକେଣ୍ଡ ପିଛା ୩୩୬ମିଟର ଗତିରେ ବିକ୍ରମ ଲ୍ୟାଣ୍ଡର ୮୦୦ମିଟର ଉଚ୍ଚରେ ପହଞ୍ଚିବ। ଏହା ପରେ ଅବତରଣ ପାଇଁ ଚନ୍ଦ୍ର ପୃଷ୍ଠରେ ଲେଜର ରଶ୍ମି ପକାଇ ଲ୍ୟାଣ୍ଡରର ସେନ୍ସରଗୁଡ଼ିକ ଅବତରଣ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବେ।
୪. ଅବତରଣ ପାଇଁ ଉପଯୁକ୍ତ ସ୍ଥାନ ଖୋଜିବା ସହ ଲ୍ୟାଣ୍ଡର ଚନ୍ଦ୍ରର ୧୫୦ମିଟର ଉଚ୍ଚରେ ପହଞ୍ଚିବ। ସେତେବେଳେ ଏହାର ବେଗ ସେକେଣ୍ଡ ପିଛା ୬୦ମିଟର ଥିବ। ଚନ୍ଦ୍ରଠାରୁ ଲ୍ୟାଣ୍ଡର ୧୦ମିଟର ଉଚ୍ଚରେ ଥିବା ବେଳେ ଏହାର ବେଗ ୧୦ମିଟର ପ୍ରତି ସେକେଣ୍ଡ ହୋଇଯାଇଥିବ। ପରେ ଅବତରଣ ସମୟରେ ଏହାର ବେଗ କମି ୧.୬୮ମିଟର ପ୍ରତି ସେକେଣ୍ଡ ହେବ।
ଅବତରଣ ପରେ ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଚାରୋଟି ପେଲୋଡ୍ କାମ ଆରମ୍ଭ କରିବ। ପ୍ରଥମ ପେଲୋଡ୍ ରମ୍ଭା (RAMBHA), ଏହା ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ପ୍ଲାଜମା କଣିକାର ଘନତା, ପରିମାଣ ଏବଂ ପରିବର୍ତ୍ତନ ବିଷୟରେ ଅନୁସନ୍ଧାନ କରିବ। ଦ୍ବିତୀୟ ପେଲୋଡ୍ ଚାଷ୍ଟେ(ChaSTE) ଚନ୍ଦ୍ର ପୃଷ୍ଠର ତାପମାତ୍ରା ଅନୁସନ୍ଧାନ କରିବ।
ତୃତୀୟ ପେଲୋଡ୍ ଇଲସା (ILSA), ଅବତରଣ ସ୍ଥାନର ଚାରିପାଖରେ ଭୂକମ୍ପର ଗତିବିଧି ଅନୁସନ୍ଧାନ କରିବ। ଚତୁର୍ଥ ପେଲୋଡ୍ ଲେଜର ରିଟ୍ରୋଫ୍ଲେକ୍ଟର ଆରେ (LRA) ଚନ୍ଦ୍ରର ଗତିଶୀଳତା ବୁଝିବାକୁ ଚେଷ୍ଟା କରିବ।