ଓଡ଼ିଶା 365 (ବ୍ୟୁରୋ): ଉତ୍ତର ପ୍ରଦେଶର ସମସ୍ତ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖାଯିବ । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟାରେ ରାଜ୍ୟର ସମସ୍ତ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି । ସନ୍ଧ୍ୟା ୫ଟା ୧୫ରୁ ୬ଟା ୧୫ ଯାଏଁ ସବୁ ସ୍କୁଲ ଖୋଲା ରହିବ । ପିଲାମାନେ ସ୍କୁଲରେ ବସି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ଦେଖିବେ । ଏନେଇ ୟୁପି ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକ କିରନ ଆନନ୍ଦଙ୍କ ପକ୍ଷରୁ ସବୁ ଜିଲ୍ଲାର ବେସିକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାନ ପ୍ରିନ୍ସିପାଲଙ୍କୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶରେ କୁହାଯାଇଛି, ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତ ହେଉଛି ।
ଭାରତୀୟ ବିଜ୍ଞାନ, ଇଞ୍ଜିନିୟରିଂ, ଟେକ୍ନୋଲୋଜି ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଛାତ୍ରଛାତ୍ରୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଉଚିତ୍ । ସେଥିପାଇଁ ସବୁ ବିଦ୍ୟାଳୟରେ ପିଲାଙ୍କୁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ପ୍ରସାରଣ ଦେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ମହାନିର୍ଦ୍ଦେଶକ ଆନନ୍ଦ କହିଛନ୍ତି ଯେ, ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୨୭ରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଇସ୍ରୋ ୱେବସାଇଟ୍, ଏହାର ୟୁଟ୍ୟୁବ ଚ୍ୟାନେଲ ଓ ଡିଡି ନ୍ୟାସନାଲରେ କରାଯିବ । ସ୍କୁଲରେ ଏହି ପ୍ରସାରଣ ଦେଖାଇବା ପାଇଁ ଶିକ୍ଷକମାନେ ସବୁ ପ୍ରକାର ବ୍ୟବସ୍ଥା କରିବେ ।