ଓଡ଼ିଶା 365 (ବ୍ୟୁରୋ): ଡିଆଇଜିଙ୍କ ପତ୍ନୀ ନିର୍ଯାତନା ସହିନପାରି ଆତ୍ମହତ୍ୟା ଉଦ୍ୟମ କରି ୨ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଙ୍କ ମାମଲାର ହସ୍ତକ୍ଷେପ କଲେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)। ଏନେଇ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି। ଏହା ସହ ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି ଜାତୀୟ ମାନବାଧିକାର କମିଶନ । ଯଦି ସେ ଏହି କ୍ଷତିପୂରଣ ରାଶି ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଦରମାରୁ ଏହି ରାଶିକୁ କାଟିବାକୁ କହିଛନ୍ତି । ଏହାବାଦ୍ ବ୍ରିଜେସ୍ ରାୟ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ଏନଏଚଆରସି ଦେଇଛନ୍ତି ନିର୍ଦ୍ଦେଶ ।
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି। ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ମଧ୍ୟ ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସୈରିଦ୍ରୀ କହିଛନ୍ତି। ଟ୍ରେନ ଲାଇନ୍ରେ ଶୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଂଚିଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ସେ ତାଙ୍କ ଦୁଇ ଗୋଡ଼ ହରାଇଛନ୍ତି। ସେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।