ଓଡ଼ିଶା 365 (ବ୍ୟୁରୋ): ଶ୍ରୀଲଙ୍କା ଉପକୂଳରେ ଲାଗିବ ଚୀନର ଆଉ ଏକ ଜାହାଜ । ନିଜର ଏକ ରିସର୍ଚ୍ଚ ଭ୍ୟାସେଲ୍ସକୁ ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋ ବନ୍ଦରରେ ପ୍ରବେଶ କରିବା ପାଇଁ ଚୀନ କର୍ତ୍ତୃପକ୍ଷ ଶ୍ରୀଲଙ୍କାକୁ ଅନୁମତି ମାଗିଥିବା ସୂଚନା ମିଳିଛି । ଏ ନେଇ ଭାରତର ଚିନ୍ତା ବଢିଛି । ଏହି ରିସର୍ଚ୍ଚ ଭ୍ୟାସଲ୍ସଟି ଅକ୍ଟୋବରରେ ଶ୍ରୀଲଙ୍କାରେ ପହଞ୍ଚିପାରେ । କିଛି ଅନ୍ତର୍ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୀନର ‘ଶି-ୟାନ୍’ ନାମକ ଏହି ବିଶାଳ ଅନୁସନ୍ଧାନକାରୀ ଜାହାଜ ଅକ୍ଟୋବରରେ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିବାର ଯୋଜନା ରହିଛି । ଏହି ବିଶାଳ ଜାହାଜର ପରିବହନ କ୍ଷମତା ୧,୧୧୫ DWT ରହିଛି । ସେହିପରି ଏହାର ଲମ୍ବ ୯୦.୬ ମିଟର ଏବଂ ପ୍ରସ୍ଥ ୧୭ ମିଟର ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।
ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ଏହି କ୍ଲିୟରାନ୍ସକୁ ନେଇ ବିବାଦ ଘେରକୁ ଆସିଛି । ଏହା ପୂର୍ବରୁ ଏକ ଅନୁସନ୍ଧାନକାରୀ ଜାହାଜ ବୋଲି ଦାବି କରୁଥିବା ଚୀନର ଏକ ଜାହାଜ କଲମ୍ବୋରେ ଡକ୍ ହୋଇଥିଲା । ଏହା ପରେ ଏହା ଚୀନ ନୌସେନା ଜାହାଜ ବୋଲି ଜଣାପଡିଥିଲା । ଏହାର ନାମ ଥିଲା ‘ହାଓ ୟାଙ୍ଗ 24 ହାଓ’ । ଏହି ୧୨୯ ମିଟର ଲମ୍ବର ବିଶାଳ ଜାହାଜରେ ୧୩୮ ଜଣ କର୍ମଚାରୀ ଥିଲେ । ଏହାକୁ ଚୀନ ନୌସେନାର କମାଣ୍ଡର ଜିନ୍ ଜିନ କମାଣ୍ଡ କରିଥିଲେ । ଗତ ବର୍ଷ ମଧ୍ୟ ଶ୍ରୀଲଙ୍କାର ହାମ୍ବନତୋତା ବନ୍ଦରରେ ‘ୟୁଆନ୍ ୱାଙ୍ଗ’ ନାମକ ଚାଇନାର ଏକ ଭେସେଲ୍ସ ଜାହାଜକୁ ପ୍ରବେଶ ଅନୁମତି ଦେଇଥିଲା ।