ଓଡ଼ିଶା 365 (ବ୍ୟୁରୋ): ଅସହ୍ୟ ହେଲା ରାଜ୍ୟ ପୁଲିସ୍ର ଡିଆଇଜି ପାହ୍ୟାର ଜଣେ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା। ଶେଷରେ ଟ୍ରେନ ଲାଇନ୍ରେ ଶୋଇ ଅତ୍ମହତ୍ୟା କରିବାକୁ ଉଦ୍ୟମ କଲେ ହୋମଗାର୍ଡ । କିନ୍ତୁ ସୌଭାଗ୍ୟ ବସତଃ ଜୀବନ ବଞ୍ଚିଗଲା ସିନା ହେଲେ ସବୁଦିନ ପାଇଁ ହରାଇଲେ ୨ ଗୋଡ଼। ଏଭଳି ଦୁଃଖଦ ଘଟଣା ଦେଇବାକୁ ମିଳିଛି ଅନୁଗୁଳରେ। ତେବେ ସଂପୃକ୍ତ ହୋମଗାର୍ଡ ଜଣକ କଟକର ଏକ ଘରୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଗଷ୍ଟ ୪ ତାରିଖରେ ଏଭଳି ଘଟିଥିଲେ ହେଁ ଏଯାଏଁ ପୁଲିସ ତଦନ୍ତ କିନ୍ତୁ ଆଗକୁ ବଢିନାହିଁ।
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଅନୁଗୁଳ ଜିଲ୍ଲାରେ ଗଲା ୧୯ ବର୍ଷ ହେବ ସେ ଗୃହରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଏବଂ ଚାକିରି ନେଇଯିବାର ଧମକ ମଧ୍ୟ ଦିଅନ୍ତି। ଗଲା ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ମଧ୍ୟ ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ହୋମଗାର୍ଡ ଡିଜିଙ୍କୁ ଲେଖିଥିବା ଚିଠିରେ ସୈରିଦ୍ରୀ କହିଛନ୍ତି। ଟ୍ରେନ ଲାଇନ୍ରେ ଶୋଇ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଂଚିଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ସେ ତାଙ୍କ ଦୁଇ ଗୋଡ଼ ହରାଇଛନ୍ତି। ସେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।
ସୈରିଦ୍ରୀଙ୍କୁ କ୍ଷତିପୂରଣ ଦେବା ସହିତ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ହେମାଗାର୍ଡଙ୍କ ଝିଅ ସୂଚୀସ୍ମିତା ପ୍ରଧାନ କହିବା ଅନୁଯାୟୀ ତାଙ୍କ ମାଙ୍କ ଅବସ୍ଥା ଏବେ ଗୁରୁତର ଅଛନ୍ତି। ତାଙ୍କୁ ଦିଆଯାଇଥିବା ନିର୍ଯାତନା ଯୋଗୁଁ ସେ ଏଭଳି ପଦକ୍ଷେପ ନେଇଥିଲେ ବୋଲି ସୂଚୀସ୍ମିତା କହିଛନ୍ତି। ଏ ସଂପର୍କରେ ହୋମଗାର୍ଡ ଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ସଂପୃକ୍ତ ମହିଳା ହୋମଗାର୍ଡ଼ଙ୍କର ଚିକିତ୍ସା ଚାଲିଛି। ସରକାର ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ଏପଟେ ମହିଳା ହୋମଗାର୍ଡ ଜଣକ ଏ ସଂପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ ହେଁ ଏଯାଏଁ ଘଟଣାର କିଛି କାର୍ଯ୍ୟନୁଷ୍ଠାନ ହୋଇନାହିଁ।ତେହେ ଏହି ଘଟଣାକୁ ଚାପି ଦେବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି।