ଓଡ଼ିଶା 365 (ବ୍ୟୁରୋ): ଓଡ଼ିଶା-ଆନ୍ଧ୍ର ସୀମାରେ ବୁଲୁଛି ମହାବଳ ବାଘ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆନ୍ଧ୍ର ସୀମାନ୍ତ ଗୁଣପୁର ବ୍ଲକ୍ରୁ ଅଳ୍ପ ଦୂରରେ ଗୋଟିଏ ମହାବଳ ବାଘ ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଅନୁରୂପ ଭାବେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଭାମିନି ମଣ୍ଡଳରେ ଏହି ମହାବଳ ବାଘ ଚଳପ୍ରଚଳ କରୁଥିବା କୁହାଯାଉଛି। ଭାଇରାଲ ଭିଡିଓଟିରେ ଗୋଟିଏ ବୟସ୍କ ମହାବଳ ବାଘ ହଠାତ ରାସ୍ତା ଉପରକୁ ଚାଲି ଆସିବା ସହ କିଛି ଦୂର ଅତିକ୍ରମ କରି ଗୋଟିଏ ପୋଲ ତଳକୁ ଚାଲିଯାଉଛି। ଆନ୍ଧ୍ର ତଥା ଓଡ଼ିଶାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ୯ସେକେଣ୍ଡର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।
ଅନ୍ୟପଟେ ବାଘ ଚଳପ୍ରଚଳ ଖବର ମିଳିବାମାତ୍ରେ ଶ୍ରୀକାକୁଲମ ବନ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ସମ୍ଭାବ୍ୟ ସ୍ଥାନରେ ସନ୍ଧାନ ମଧ୍ୟ କରିଥିଲେ। ଆଖପାଖ ଗ୍ରାମବାସୀଙ୍କୁ ପଚାରିବାରୁ ବାଘକୁ କେହି ଦେଖିନଥିବା କହିଥିଲେ। କିନ୍ତୁ କିଛି ସ୍ଥାନରେ ବାଘର ପାଦଚିହ୍ନ ବନ ବିଭାଗ କର୍ମଚାରୀ ସ୍ପଷ୍ଟ ରୂପେ ଦେଖିଥିଲେ। ଏହାପରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ଭାମିନି ମଣ୍ଡଳ ତହସିଲଦାର ସତର୍କ କରିଛନ୍ତି। ସେହିପରି ଗୃହପାଳିତ ପଶୁଙ୍କୁ ଜଙ୍ଗଲ ନଛାଡ଼ିବାକୁ ପରାମର୍ଶ ଦିଆଯାଇଥିବା ଭାମିନି ମଣ୍ଡଳ ଫରେଷ୍ଟର କହିଛନ୍ତି।