ଓଡ଼ିଶା 365 (ବ୍ୟୁରୋ): ଯୁଗ ଯୁଗରୁ ଗହଣା ପ୍ରତି ନାରୀମାନଙ୍କର ଅହେତୁକ ଆକର୍ଷଣ ରହିଆସିଛି। ପ୍ରାଚୀନ କାଳରେ ହୀରା, ନୀଳା, ମୋତି, ମାଣିକ, ପାନ୍ନା, ପ୍ରବାଳ, ଗୋମେଦ, ବୈଦୁର୍ୟ୍ୟ, ସୁନା, ରୁପା ପ୍ରଭୃତି ଖଞ୍ଜା ପାରମ୍ପରିକ ଗହଣା ଦେଖିଲେ ଆଖି ଲାଖିଯାଏ । କାରିଗର ମାନେ ଏହି ଗହଣାକୁ ନିଜ ହାତରେ ଜୀବନ୍ତ ପରି ଗଢ଼ି ତୋଳନ୍ତି । କାନଫୁଲ, ପାଉଁଜି, ମୁଦି, ନାକନୋଥ, ଅଣ୍ଟାସୂତା, ବ୍ରତ, ହାର ଇତ୍ୟାଦି ଅନେକ ପ୍ରକାରର ଗହଣା ତିଆରି କରିଥାନ୍ତି । ପ୍ରତ୍ୟେକ ଝିଅ ବୋହୁ ଏହି ଗହଣା ପିନ୍ଧି ସଜେଇ ହେଉଥିଲେ । ଏହି ଗହଣା ବହୁତ ଭାରି ହୋଇଥାଏ । ହେଲେ ବର୍ତ୍ତମାନ ସମସ୍ତେ ହାଲକା ଗହଣା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ କାରିଗର ପାଖକୁ ମଧ୍ୟ ଯିବାକୁ ପଡୁନି । ରୋଜ୍ଗୋଲ୍ଡ, ପ୍ଲାଟିନମ୍, ହୀରାବସା ମୁଦି, କାନର ଷ୍ଟଡ୍ ଓ ଛୋଟିଆ ଲକେଟ୍ ଥବା ସରୁଚେନ୍। ଏବେ ଅନ୍ଲାଇନ୍ରେ ଗହଣା କାରବାର ବେଶ୍ ଲୋକପ୍ରିୟ ହେଲାଣି। ଆପଣ ହୀରା, ନୀଳା, ମୋତି, ମାଣିକ, ପାନ୍ନା, ପ୍ରବାଳ, ଗୋମେଦ, ବୈଦୁର୍ୟ୍ୟ, ସୁନା, ରୁପାରେ ତିଆରି ଅଳଙ୍କାର ଦେଖିଥିବେ ହେଲେ କେବେ ମା’ କ୍ଷୀରରେ ତିଆରି ଅଳଙ୍କାର ଦେଖିଛନ୍ତି କି ? ଆସନ୍ତୁ ଜାଣିବା…
ସୂଚନାଅନୁଯାୟୀ, ସୁରତର ଅଦିତି ବୃତ୍ତିରେ ଜଣେ ଦନ୍ତଚିକିତ୍ସକ । ସେ ମା’ କ୍ଷୀରରୁ ଅଳଙ୍କାର ତିଆରି କରି ଏହାକୁ ଏକ ନିଆରା ସ୍ମୃତିରେ ପରିଣତ କରୁଛନ୍ତି। ଅଦିତି ପିଲାମାନଙ୍କ କେଶ ଓ ଜନ୍ମବେଳର ନାହିନାଡ଼ ବ୍ୟବହାର କରି ସୁନାରୁପାର ବ୍ରେସଲେଟ୍ ସହ ପଦକ ଏବଂ ଅନ୍ୟାନ୍ୟ ଅଳଙ୍କାର ପ୍ରସ୍ତୁତ କରନ୍ତି। ଏଗୁଡିକୁ ତିଆରି କରିବା ପାଇଁ ସେ ମା’ର କ୍ଷୀର ସଂରକ୍ଷଣ କରି ରଖନ୍ତି ଏବଂ ଏହାକୁ ପଥରରେ ପରିଣତ କରି ସେଥିରୁ ଅଳଙ୍କାର ପ୍ରସ୍ତୁତ କରନ୍ତି। ଏହା କରିବା ପାଇଁ ତାଙ୍କୁ ପ୍ରାୟ ୧୫ ଦିନ ସମୟ ଲାଗେ । ସେପଟେ ଅଦିତି କହିଛନ୍ତି ଯେ, ମା’ କ୍ଷୀର ତାଙ୍କୁ ବିଦେଶରୁ କୋରିୟର୍ ମାଧ୍ୟମରେ ପଠାଯାଇଥାଏ ଏବଂ ସେଥିରୁ ସେ ସୁନ୍ଦର ଅଳଙ୍କାର ପ୍ରସ୍ତୁତ କରନ୍ତି । ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର ଚାହିଦା ଖୁବ୍ ଅଧିକ ରହିଛି ।