ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ପାଇଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ମଙ୍ଗଳବାରଠାରୁ ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର । ଦୈନିକ ପ୍ରାୟ ୫୦୦ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଥିବା ବେଳେ ଭିଡ଼ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡମିଶନ ହେଉଛନ୍ତି । ଏବେ ବେଡରେ ୬୨ ରୋଗୀ ଅଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟ ଅପେକ୍ଷା ରାଜଧାନୀ ଭୁବନେଶ୍ବରରେ ହୁ ହୁ ହୋଇ ବଢିଚାଲିଛି ଡେଙ୍ଗୁ। ପୂର୍ବରୁ ଭୁବନେଶ୍ୱରରୁ ଡେଙ୍ଗୁ ପାଇଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ ଥିବା ବେଳେ ଏହି ସଂଖ୍ୟା ଅଧିକ ଥିବା ସାଧାରଣରେ ଅଭିଯୋଗ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୫୫୦ ଡେଇଁଛି । ଦୈନିକ ସଂକ୍ରମଣ ଏବେ ୫୦ ଛୁଇଁଲାଣି । ପୂର୍ବରୁ ଖଣ୍ଡଗିରିରେ ଜଣେ ୬ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ରଙ୍ଗମାଟିଆର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
ଗତ କିଛିଦିନ ତଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ବଢିଥିଲା ବେଡ୍ ସଂଖ୍ୟା । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ଵତନ୍ତ୍ର ବେଡ୍ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ ହସ୍ପିଟାଲ । ପୂର୍ବରୁ ଏଠାରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ଟି ସ୍ଵତନ୍ତ୍ର ବେଡ୍ ଥିବା ବେଳେ ଖୁବଶୀଘ୍ର ୨୦ ବେଡ୍ ବଢ଼ାଇ ୭୦ରେ ପହଞ୍ଚାଇବାକୁ ଯୋଜନା କରାଯାଇଥିଲା ।