ଓଡ଼ିଶା 365 (ବ୍ୟୁରୋ) : ବ୍ରାଉନସୁଗରର ହବ୍ ପାଲଟିଛି ବାଲେଶ୍ବର । ପ୍ରତ୍ୟେକ ମାସ ବାଲେଶ୍ବରରୁ ଜବତ ହେଉଛି କୋଟି କୋଟି ଟଙ୍କାର ବ୍ରାଉନସୁଗର। ପୋଲିସ ଓ ଏସଟିଏଇ ଚଢାଉ କରି ବ୍ରାଉନସୁଗର ଜବତ କରୁଛନ୍ତି, ଅଭିଯୁକ୍ତଙ୍କୁ ବି ବାନ୍ଧୁିଛନ୍ତି। ହେଲେ ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍। ବାଲେଶ୍ବରରେ ବେଧଡ଼କ ଚାଲିଛି ନିଶା କାରବାର। ଏହି କ୍ରମରେ ଗତକାଲି ବାଲେଶ୍ୱର ରେଲଓ୍ବେ ଷ୍ଟେସନ ରୋଡ ନିକଟରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଏହା ସହ ୪ ଜଣ ଗିରଫ ମଧ୍ୟ କରିଛି । ରବିବାର ସନ୍ଧ୍ୟାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ବାଲେଶ୍ୱର ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ୪ ଜଣ ବ୍ୟକ୍ତି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ନେଇ ଆଶଙ୍କା ପ୍ରକାଶ କରି ଚଢାଉ କରିଥିଲେ। ଏହି ଚାରି ଜଣ ହେଲେ ବାଲେଶ୍ୱର ଜିଲ୍ଲା ବାଲୁବଜାରର ଏସକେ ଫୟାଜ, ଏସକେ ସମସେଦ, ଏସକେ ମୁରାଦ ଏବଂ ସନ୍ଦୀପ ନାୟକ। ଜବତ ହୋଇଥିବା
ଜବତ ବ୍ରାଉନସୁଗାରର ଓଜନ ୧.୧ କିଲୋଗ୍ରାମ (୧୧୦୦ ଗ୍ରାମ) ରହିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟିରୁ ଅଧିକ। ଡ୍ରଗ୍ସ ସହ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ। ଅଟକ ଥିବା ୪ ଅଭିଯୁକ୍ତ ଏହି ବେଆଇନ ନିଶାଦ୍ରବ୍ୟ କାରବାର ଦୀର୍ଘ ଦିନ ଧରି ଚଳାଇ ଆସୁଥିଲେ। ସବୁଠୁ ବଡ଼ କଥା ହେଉଛି ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଏସଟିଏଫ୍ ୭୧ କିଲୋଗ୍ରାମ୍ ବ୍ରାଉନ୍ ସୁଗାର (ହିରୋଇନ୍), ୨୦୨ ଗ୍ରାମ୍ କୋକେନ୍, ୧୧୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ୍ ଅଫିମ ଜବତ କରିସାରିଲାଣି।