ଛୋଟ ମୋର ଗାଁଟି
ଭୂଗୋଳ ପୋଥି ପତରେ ପଛେ
ନ ଥାଉ ତାର ନାଁ ଟି
ଛୋଟ ମୋର ଗାଁଟି
ଓଡ଼ିଶା365(ବ୍ୟୁରୋ): ତାଙ୍କର ଏହି ଆବେଗପୂର୍ଣ୍ଣ କବିତା ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିଛି,ବିଦେଶରେ ଥିଲେ ମଧ୍ୟ ସଭିଙ୍କୁ ଗାଁ ମାଟିର କଥା ମନେ ପକାଇଦିଏ ତାଙ୍କର ଏହି କବିତା। ଗାଁ ମାଟିକୁ ପ୍ରାଣଭରି ଭଲ ପାଉଥିବା ମଣିଷଟିଏ ଥିଲେ ସେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ଆଧୁନିକ ଓଡିଆ କବିତାର ଜନ୍ମଦାତା,ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା ମାଟିର ମହାକବି ସଚ୍ଚି ରାଉତରାୟ । ଜଣେ କବି,ଗାଳ୍ପିକ,ଔପନ୍ୟାସିକ,ପ୍ରାବନ୍ଧିକ,ସମାଲୋଚକ ଭାବେ ଜନମାନସରେ ସେଥିଲେ ପରିଚିତ । ତାଙ୍କର ଅଧିକାଂଶ କବିତାରେ ଉଗ୍ର ସାମ୍ୟବାଦର ଚିହ୍ନ ସ୍ପଷ୍ଟ ବାରିହୋଇପଡେ।ସଚ୍ଚି ରାଉତରାୟଙ୍କ ଲେଖନୀ ପ୍ରାୟ ସାଢ଼େ ସାତ ଦଶନ୍ଧି ଧରି ସକ୍ରିୟ ଥିଲା। ତାଙ୍କୁ ଜନତାର କବି ମଧ୍ୟ କୁହାଯାଏ। ଓଡ଼ିଆ ଓ ଇଂରାଜୀରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଯାଇଛନ୍ତି। ଇଂରାଜୀ, ହିନ୍ଦୀ,ତେଲଗୁ,ପଞ୍ଜାବୀ ଭାଷାର ଅନୁବାଦ କରି ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟରେ ନବଦିଗନ୍ତର ବରେଣ୍ୟ କବି ଭାବେ ସେ ଥିଲେ ପରିଚିତ। ଆଜି ସେହି ଯୁଗସ୍ରଷ୍ଠା ମହାନ କବିଙ୍କର ପୂଣ୍ଣତିଥି। ୧୯୧୬ ମସିହା, ମାର୍ଚ୍ଚ ୧୩ ତାରିଖ ଖୋର୍ଦ୍ଧାର ଗୁରୁଜଙ୍ଗ ଗାଁରେ ଜନ୍ମ ହୋଇଥିଲେ ସେ। ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ କରି ଓଡ଼ିଆ ସାହିତ୍ୟରେ ସେ ଆଣିଥିଲେ ପରିବର୍ତ୍ତନ। ଚାଟଶାଳୀରେ ପଢ଼ିବା କାଳରେ ସେ ସ୍ୱାଧୀନତା ଆନ୍ଦୋଳନରେ ବି ଝାସ ଦେଇଥିଲେ । ଫିରିଙ୍ଗି ସରକାର ବିରୋଧରେ ଲଢିଥିଲେ । ସେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ ଓ ତାପରେ ତାଙ୍କର ପିଲାବେଳ କଟିଥିଲା ବଙ୍ଗପ୍ରଦେଶରେ। ସ୍ୱାଧୀନତା ଆନ୍ଦୋଳନ, ଛାତ୍ର ଓ କୃଷକ ଆନ୍ଦୋଳନରେ ଭାଗନେଇ ସେ ଦୁଇଥର କାରାବରଣ କରିଥିଲେ ।
ପନ୍ଦର ବର୍ଷ ବୟସରେ ସଚ୍ଚି ରାଉତରାୟଙ୍କ କବି ଜୀବନ ଆରମ୍ଭ ହୋଇଥିଲା। ୧୯୨୮ରେ ପଞ୍ଚାମୃତ ପତ୍ରିକାରେ ପ୍ରକାଶ ହୋଇଥିଲା ତାଙ୍କର ପ୍ରଥମ କବିତା। କବିତାର ବିଷୟବସ୍ତୁ ଓ ଆତ୍ମିକ ସ୍ଵରଦୃଷ୍ଟିରୁ ମଧ୍ୟ ସମାଜ ସଚେତନତା, ମାନବବାଦ, ବୈପ୍ଳବିକ ଚେତନା ଓ ବାମପନ୍ଥୀ ସାମ୍ୟବାଦର ପ୍ରାଚୁର୍ଯ୍ୟରେ ଓଡ଼ିଆ କବିତାକୁ ସଚ୍ଚି ରାଉତରାୟ ଦେଇଥିଲେ ଏକ ନୂତନ ପରିଚୟ। ସ୍ଵାଧୀନତା ପରବର୍ତ୍ତୀ ବହୁ ଓଡ଼ିଆ କବିଙ୍କ ଲାଗି ସେ ଥିଲେ କାବ୍ୟ-ଗୁରୁ। ତାଙ୍କୁ କେହି କେହି ମାଟିର ଦ୍ରୋଣ ମଧ୍ୟ କହୁଥିଲେ। ଛାତ୍ର ଜୀବନରୁ ଭାରତର ସ୍ୱାଧୀନତା ଆନ୍ଦୋଳନ, ଗଡ଼ଜାତ ପ୍ରଜା ଆନ୍ଦୋଳନ, ଚାଷୀ ଆନ୍ଦୋଳେନରେ ଅଂଶ ଗ୍ରହଣ କରିଥିଲେ ସେ। ତାଙ୍କ ରଚିତ ରକ୍ତଶିଖା, ଉଠ ଜାଗ ଭୋକି ବନ୍ଦୀରେ ଏହି ଆନ୍ଦୋଳନର ପ୍ରତିଛବି ଦେଖାଯାଏ। ତାଙ୍କର କେତୋଟି ପ୍ରସିଦ୍ଧ କବିତା ଗ୍ରନ୍ଥ ହେଉଛି ପାଥେୟ, ପଲ୍ଲିଶ୍ରୀ, ଅଭିଯାନ, ବାଜିରାଉତ, ପାଣ୍ଡୁଲିପି, ଭାନୁମତୀର ଦେଶ, ସ୍ଵଗତ, କବିତା-୧୯୬୨ମାନ , ତାଙ୍କର ଗଳ୍ପ ଗ୍ରନ୍ଥ ମଶାଣିର ଫୁଲ, ମାଟିର ତାଜ, ମାଙ୍କଡ ପ୍ରଭୁତି ଗଳ୍ପ ରହିଛି। ତାଙ୍କର ଏକମାତ୍ର ଉପନ୍ୟାସ ଚିତ୍ରଗ୍ରୀବ। ରାଉତରାୟଙ୍କ ଦ୍ୱାରା ପ୍ରକାଶିତ ୩୧ ଖଣ୍ଡ ପୁସ୍ତକ ଖଣ୍ଡକାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ସମାଲୋଚନା, ଆଲୋଚନା, ଏବଂ ଆତ୍ମଚରିତ ଦେଶବାସୀଙ୍କୁଭେଟି ଦେଇଛନ୍ତି ।
ତାଙ୍କୁ କାବ୍ୟକବିତା ଲେଖନୀ କ୍ଷେତ୍ରରେ ମିଳିଥିଲା ଅନେକ ସମ୍ମାନ। ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି ।୧୯୬୨ରେ ପଦ୍ମଶ୍ରୀ, ୧୯୬୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୫ରେ ସୋଭିଏତ ଦେଶ ନେହେରୁ ପୁରସ୍କାର, ୧୯୯୬ରେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋ, ୧୯୮୬ରେ ଜ୍ଞାନପୀଠ ପୁରସ୍କାର, ୧୯୮୮ରେ କଟକର ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାବାସୀଙ୍କ ପକ୍ଷରୁ ‘ମହାକବି’ ଉପାଧି ଆଦି ସମ୍ମାନରେ ସମ୍ମାନିତ ହୋଇଥିଲେ ସଚ୍ଚି ରାଉତରାୟ। ତାଙ୍କ କାଳଜୟୀ ସୃଷ୍ଟି ଆଜିବି କୋଟି କୋଟି ଓଡ଼ିଆଙ୍କ ମନରେ ସେ ଘର କରିଛନ୍ତି । ତାଙ୍କ ଭାଷାରେ ଜୀବନ ଥିଲା ଏକ ଅପେକ୍ଷା,ମଣିଷର ମଣିଷ ପଣିଆ ଯିଏ ଦେଖିନାହିଁ ସେ କିଛି ଦେଖି ନାହିଁ ବୋଲି କୁହନ୍ତି ସେ। ତାଙ୍କ ରଚନା ପ୍ରମୁଖ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ ଥିଲା । ୨୦୦୪, ଅଗଷ୍ଟ ୨୧କଟକଠାରେ ସେ ଦୁନିଆ ଛାଡ଼ିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିଲା। କାବ୍ୟକବିତା କ୍ଷେତ୍ର ହେଉ ଅବା ସ୍ବାଧିନତା ଲାଗି ପ୍ରୟାସ ସବୁଦିନ ପାଇଁ ମନେ ରଖିବା ଓଡିଶା। ଆଜି ତାଙ୍କ ପୂଣ୍ଣତିଥିରେ ମାଟିର ମହାକବି ସଚ୍ଚି ରାଉତରାୟଙ୍କୁ ସତ ନମନ।