ଓଡ଼ିଶା 365 (ବ୍ୟୁରୋ) : ଫେରାର ପୂର୍ବତନ ବିଡିଓଙ୍କୁ ୮ ବର୍ଷ ପରେ ଗିରଫ କଲା ଭିଜିଲାନ୍ସ। କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଙିଜିଲାନ୍ସ ଦିଲ୍ଲୀରୁ ଗିରଫ କରାଯାଇଛି। ୮ ବର୍ଷ ହେବ ଫେରାର ଥିବା ରମେଶ ଚନ୍ଦ୍ର ସାହୁଙ୍କୁ ଏକାଧିକ ବାର ଧରିବା ଲାଗି ଚେଷ୍ଟା ଚଳାଇ ବିଫଳ ହୋଇଥିବା ଓଡ଼ିଶା ଭିଜିଲାନ୍ସ ଶେଷରେ ତାଙ୍କୁ ବାନ୍ଧିଛି। ରମେଶ ଚନ୍ଦ୍ର ସାହୁ ଆସାମରୁ ଦିଲ୍ଲୀ ଫେରିଥିବା ବେଳେ ଆଜି ତାଙ୍କୁ ଭିଜିଲାନ୍ସ କାବୁ କରିଛି। ଏହାପରେ ତାଙ୍କୁ ସେଠାକାର କୋର୍ଟରେ ହାଜର କରାଯାଇଥିଲା। ଏହାପରେ ରମେଶଙ୍କୁ ଓଡ଼ିଶା ଅଣାଯାଉଛି।
ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରି କାଳରେ ୭ଟି ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ନାଁରେ ୭ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ। ଏହାପରଠାରୁ ସେ ବିଭିନ୍ନ ସ୍ଥାନରେ ରହି ଆସୁଥିଲେ। ଭିଜିଲାନ୍ସ ତାଙ୍କୁ ଖୋଜାଖୋଜି କରି ଅବଶେଷରେ ଦିଲ୍ଲୀରେ ଠାବ କରିଥିଲା।ଆଠ ବର୍ଷ ତଳେ ରମେଶ ଚନ୍ଦ୍ର ସାହୁ ନାରାୟଣପାଟଣା ବ୍ଲକ୍ ରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ନାରାୟପାଟଣାର ବିଡିଓ ଭାବେ ରହିଥିଲେ। ସେହି ସମୟରେ ବ୍ଲକ୍ ର ଉନ୍ନୟନମୂଳକ କାର୍ଯ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ସରକାରଙ୍କ ତରଫରୁ ସାତଟି ମାମଲା ରୁଜୁ ହୋଇଥିଲା।