ଓଡ଼ିଶା365(ବ୍ୟୁରୋ): ଏସିଆ କପ୍-୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା। ମୋଟ ୧୭ ଜଣିଆ ଟିମ୍ ଘୋଷଣା କରିଛନ୍ତି ଭାରତୀୟ ବରିଷ୍ଠ କ୍ରିକେଟ୍ ଚୟନ କମିଟି। ଦୀର୍ଘଦିନ ପରେ ଟିମ୍କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍ ରାହୁଲ୍। ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏସିଆ କପ୍ର ସମସ୍ତ ମ୍ୟାଚ୍ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ। ଭାରତ ବ୍ୟତୀତ ଆଉ ଦୁଇଟି ଟିମ୍ ଦଳ ଘୋଷଣା କରିନଥିଲେ । ଏବେ ୧୭ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା ଅଧିନାୟକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଯୁବ ବ୍ୟାଟସମ୍ୟାନ୍ ତିଲକ ବର୍ମା ଏବଂ ଇଷାନ୍ କିଷାନ୍ଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ଯୁବ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ବି ଟିମ୍ରେ ସାମିଲ କରାଯାଇଛି। ସଞ୍ଜୁ ସାମ୍ସନ୍ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଟିମରେ ସାମିଲ କରାଯାଇଛି ।
ଭାରତୀୟ ଦଳ-
ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ଶୁଭମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍ କିଷାନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।
ସେପ୍ଟେମ୍ବର ୨ରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ । ଏହାପରେ ସେପ୍ଟେମ୍ବର ୪ରେ ଦ୍ୱିତୀୟ ମୁକାବିଲା ନେପାଳ ସହ ରହିଛି । ଭାରତ, ପାକିସ୍ତାନ, ନେପାଳ ଏସିଆ କପ୍ର ଗ୍ରୁପ-ଏରେ ରହିଛନ୍ତି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ୍ ମଡେଲ୍ ଆଧାରରେ ଖେଳାଯିବ। ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଦବ୍ଦବା ରହିଛି । ମୋଟ ୧୫ଟି ସିଜିନ୍ ଖେଳାଯାଇଥିବା ବେଳେ ଭାରତୀୟ ଟିମ୍ ସବୁଠୁ ଅଧିକ ଥର ଚାମ୍ପିଅନ୍ ହୋଇଛି। ଭାରତ ୭ଥର ଟ୍ରଫି ଜିତିଥିବା ବେଳେ ଶ୍ରୀଲଙ୍କା ୬ ଥର, ପାକିସ୍ତାନ ୨ ଥର ଚମ୍ପିଆନ୍ ହୋଇଛି।