ଓଡ଼ିଶା 365 (ବ୍ୟୁରୋ): ସକାଳୁ ଆଖି ଖୋଲିବା ପୂର୍ବରୁ ଆବଶ୍ୟକ ପଡିଥାଏ ଚା’ ଟୋପେ । ଯାହାକୁ ପିିଇଲେ ଦିନଟା ଅତି ଆରାମରେ କଟିଥାଏ । ଛୋଟଠୁ ବୟସ୍କ ଏହା ସମସ୍ତଙ୍କର ପସନ୍ଦ । ଗାଁ ଠୁ ଆରମ୍ଭ କରି ସହର ସବୁଠି ଚା’ର ଚାହିଦା ରହିଥାଏ । ଆପଣ କ୍ଷୀର ଚା’, ଅଦା ଚା’, ଅମୁଲ୍ ଚା’, ରାବିଡି ଚା’ ଏମିତି ଅନେକ ପ୍ରକାରର ଚା’ ପିିଇଥିବେ । ହେଲେ କେବେ ହାଜମୋଲା ଚା’ ପିଇଛନ୍ତି କି ? ତେବେ ଆସନ୍ତୁ ଜାଣିବା ହାଜମୋଲା ଚା’ କେଉଁଠି ଏବଂ କିପରି ତିଆରି ହୁଏ ?
ଭାରତର ଐତିହାସିକ ପ୍ରାଚୀନ ସହର ହେଉଛି ବାରାଣସୀ । ତାହାର ଲୋକସଂସ୍କୃତି ପାଇଁ ବାରାଣସୀ ପରିଚିତ। ହେଲେ ଏଠାରେ ମିଳୁଥିବା ଏକ ଭିନ୍ନ ଧରଣର ପାନୀୟ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଯାହା ଚା’ ଓ ଖଟାମିଠା ସ୍ବାଦଯୁକ୍ତ ହଜମକାରୀ ‘ହାଜମୋଲା ବଟିକା’ ପରି ଦୁଇଟି ଭିନ୍ନ ଉପାଦାନର ସମ୍ମିଶ୍ରଣରେ ତିଆରି ହୋଇଛି । ବାରାଣସୀର ଅଶୀଘାଟରେ ଜଣେ ରାସ୍ତାକଡ଼ ଦୋକାନୀ ‘ବାରାଣସୀ ହାଜମୋଲା ଚା’ ବିକୁଛନ୍ତି। ।ସେ କିଛି ପାଣିରେ ଚିନି, ପୁଦିନା ପତ୍ର ଓ ଚା’ ପତି ପକାଇ ଫୁଟାଇବା ପରେ ତାହାକୁ ଛାଣି ସେଥିରେ ଲେମ୍ବୁରସ ଓ ହାଜମୋଲା ବଟିକାକୁ ଗୁଣ୍ଡ କରି ମିଶାଇଥାନ୍ତି। ଏହାର ସ୍ୱାଦ ସବୁଠୁ ନିଆରା ହୋଇଥାଏ । ଏହାକୁ ପିଇବା ମାତ୍ରେ ମନରୁ ସବୁ ଦୁଶ୍ଚିନ୍ତା ଦୂର ହୋଇଯାଇଥାଏ ଏବଂ ବହୁତ ଆରାମ୍ ଲାଗିଥାଏ । ଅଧିକାଂଶ ଲୋକ ମଧ୍ୟ ଏହି ଚା’ ପିଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।