ଓଡ଼ିଶା 365 (ବ୍ୟୁରୋ) : ପୁଅକୁ ନେଇ ସ୍କୁଲ ଛାଡ଼ିବାକୁ ଯାଉଥିବା ବେଳେ ବାପାମା’ ଉପରେ ମାଡ଼ିଗଲା କାର୍। ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ଏତିକିବେଳେ ଘରଠୁ କିଛି ବାଟ ଦୂରରେ ଏକ କାର୍ ଆସି ବାଇକ୍ ଉପରେ ମାଡ଼ି ଯାଇଥିଲା। ଫଳରେ ସୁମନ୍ତ ବେହେରା ଓ ତାଙ୍କ ପୁଅ ଆୟୁଷ ବିଶେଷ କ୍ଷତି ସତ୍ତେ୍ବ ବି ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି। ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ଲ୍ଲି କରାଯାଇଛି। ହେଲେ ପତ୍ନୀ ଝିଲି ମାଝିଙ୍କର ମୃତ୍ୟୁ ହୋଇଛି। ଆଉ ମା’ ଛେଉଣ୍ଡ ହୋଇଯାଇଥିଲା କୁନି ପୁଅ। ଏପରି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ।
ସୂଚନାଯୋଗ୍ୟ, ଆଜି ସକାଳେ ସୁମନ୍ତ ଓ ତାଙ୍କ ସ୍ତ୍ରୀ ପୁଅକୁ ଛାଡ଼ିବାକୁ ବାଇକ୍ରେ ସ୍କୁଲ ଯାଉଥିଲେ। ଘରଠୁ କିଛି ବାଟ ଗଲା ପରେ କଟକରୁ ଜଗତସିଂହପୁର ଅଭିମୁଖେ ଆସୁଥିବା କାର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ବାପାମା’ ଓ ଛୁଆ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଟରେ ଝିଲିଙ୍କର ମୃତ୍ୟୁ ଘଟିଥିଲା। ବାପାପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଗାଡ଼ି ଛାଡି ଫେରାର ହୋଇଯାଇଛି ଡ୍ରାଇଭର ।