ଓଡ଼ିଶା 365 (ବ୍ୟୁରୋ): ଚଳଚଞ୍ଚଳ ସମସ୍ତ ଶୈବପୀଠ । ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡ଼ିଆ । ଗୋଟିଏ ମାସ ବ୍ୟବଧାନ ପରେ ପୁଣି ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବପୀଠ । ମଳମାସ ସରିଥିବାରୁ ଶ୍ରାବଣର ଶେଷ ଦୁଇ ସୋମବାର ହେବ ଜଳଲାଗି । ଏଥିପାଇଁ ଚଳଚଞ୍ଚଳ ଶୈବପୀଠ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାଉଡ଼ିଆମାନେ ଏକାଠି ହୋଇ ପୂଜା କରିବା ସହ ପାଣି ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି । ବିଶ୍ବାସ ଓ ଭକ୍ତିର ଏକ ମହାମିଳନ ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା ପରେ ପାଣିଭାର ନେଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମାସର ପ୍ରଥମ ଦୁଇ ସୋମବାର ହୋଇଥିଲା ଜଳଲାଗି । ତେବେ ଯୋଡ଼ାଶ୍ରାବଣ ପଡିବାରୁ ମଝିରେ ମଳମାସ ପାଇଁ ଜଳଲାଗି ବନ୍ଦ ରହିଥିଲା । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଅର୍ଥାତ ଆଜି ଓ ୨୮ତାରିଖ ଦିନ ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକ ମାନେ କହିଥିଲେ ।
ଗତକାଲି ପବିତ୍ର ଗଡ଼କଡ଼ିଆରୁ ଜଳାଭାରର ଧରି ଉତ୍ସାହର ସହ ଲିଙ୍ଗରାଜ, ଧବଳେଶ୍ଵର, ସର୍ପେଶ୍ବର ଆଦି ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ତେବେ ଜାଣନ୍ତୁ ଏହି ଯୋଡ଼ାଶ୍ରାବଣ କଣ ?
ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷ ଓ ଶେଷ ଶୁକ୍ଲ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ । ମଝିରେ ପ୍ରଥମ ଶୁକ୍ଲ ପକ୍ଷ ଓ ଦ୍ୱିତୀୟ କୃଷ୍ଣ ପକ୍ଷ ହେଉଛି ମଉଳା ଶ୍ରାବଣ ମାସ । ଯାହାକୁ ମଳମାସ ବୋଲି କୁହାଯାଇଥାଏ । ତେବେ ଶିବ ପୁରାଣ ଅନୁସାରେ ଶ୍ରାବଣ ମାସକୁ ବିଶେଷ ଶୁଭ ବୋଲି ମନେ କରାଯାଏ । ଏହି ମାସରେ କାଉଡ଼ିଆମାନେ ମହାଦେବଙ୍କ ଶିବଲିଙ୍ଗରେ ପାଣି ଅର୍ପଣ କରିଥା’ନ୍ତି । ଏଥର ଶ୍ରାବଣ ମାସ ୫୯ ଦିନ ରହିବ ।
ଦୁଇଟି ପଦ୍ଧତିରେ ଦିନ ଗଣନା ହୋଇଥାଏ । ଗୋଟିଏ ହେଉଛି ସୌରମାସ ଓ ଅନ୍ୟଟି ହେଉଛି ଚନ୍ଦ୍ରମାସ । ଚନ୍ଦ୍ରମାସ ଅନୁସାରେ ବର୍ଷକ ହେଉଛି ୩୫୪ ଦିନ । କିନ୍ତୁ ସୈାରମାସ ଅନୁସାରେ ବର୍ଷକ ହେଉଛି ୩୬୫ ଦିନ । ସୈାରମାନ ବର୍ଷର ଦିନ ଠାରୁ ଚନ୍ଦ୍ରମାନ ବର୍ଷର ଦିନ ୧୧ ଦିନ ୬ ଘଂଟା କମ୍ ହୋଇଥାଏ । ଜ୍ୟୋତିଷ ଗଣନା ଅନୁସାରେ, ସୈାରବର୍ଷ ସହ ଚନ୍ଦ୍ରବର୍ଷର ସମତା ରକ୍ଷା କରିବା ପାଇଁ ଚନ୍ଦ୍ରମାସ ଗଣନାରେ ୨୮ରୁ ୩୪ ମାସ ଅନ୍ତରରେ ଗୋଟିଏ ଅଧିକ ମାସ ଗଣନା କରାଯାଏ । ତେଣୁ ଶ୍ରାବଣରେବି ପଡିଥାଏ ଯୋଡାଶ୍ରାବଣ ମାସ ।