ଓଡ଼ିଶା 365 (ବ୍ୟୁରୋ): ଦୀର୍ଘଦିନ ଧରି ବିବାଦରେ ଥିବା ବେଦବ୍ୟାସ ଝୁଲାପୋଲ ନର୍ମାଣ ପାଇଁ ଫିଟିଲା ବାଟ। ଏନେଇ ସର୍ଭେ ପରେ ପ୍ରକଳ୍ପ ବିସ୍ତୁତ ରିପୋର୍ଟ (ଡିପିଆର୍) ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି। ବେଦବ୍ୟାସ ବିକାଶ ମଞ୍ଚ, ବିଭିନ୍ନ ରାଜନୈତିକ ଦଳର ଉଦ୍ୟମ ଯୋଗୁ ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ହେଲେ ବ୍ରିଜ ପରାମର୍ଶଦାତା ଇଂ ବାସାଙ୍କ ସୁପାରିଶ ଓ ଡିପିଆର୍ ମିଳିବା ପରେ ଆସନ୍ତା ଦିନରେ ରାଜ୍ୟ ସରକାର ଦୀର୍ଘଦିନର ପ୍ରକଳ୍ପକୁ ବାସ୍ତବ ରୂପ ଦେବାକୁ କେତେଗୁରୁତ୍ବ ଦେଉଛନ୍ତି, ତା’ଉପରେ ନଜର ରହିଛି।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ ମେ ୧୮ରେ ଭୁବନେଶ୍ବରରୁ ବିଶ୍ବବ୍ୟାଙ୍କ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୁର୍ଗାପ୍ରସନ୍ନ ମିଶ୍ର ହାଡ଼ପକାଘାଟ ତଥା ପାଖାପାଖି ଅଞ୍ଚଳ ବୁଲି ଦେଖିଥିଲେ। ପ୍ରକଳ୍ପ ଉପରେ ତୁରନ୍ତ କାର୍ଯ ଆରମ୍ଭ ହେବ ବୋଲି ସେତେବେଳେ କହିଥିଲେ। ଏହା ପୂର୍ବରୁ ବେଦବ୍ୟାସ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନମନ୍ତ୍ରୀଙ୍କୁ ଝୁଲାପୋଲ ନିର୍ମାଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେବଳ ଏତିକି ନୁହେଁ ବହୁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବେଦବ୍ୟାସ ଝୁଲାପୋଲ ପାଇଁ କେନ୍ଦ୍ର ଆଦିବାସୀ ବିଭାଗ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍ଓସି ନ ମିଳିବାରୁ ବର୍ଷ ବର୍ଷ ଧରି ପାଣ୍ଠି ପଡ଼ି ରହିବା ପରେ ଫେରିଯାଇଥିଲା। ବେଦବ୍ୟାସ ପୀଠର ଶୋଭବର୍ଦ୍ଧନ ପାଇଁ ଝୁଲାପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ।