ଓଡ଼ିଶା365(ବ୍ୟୁରୋ): ବଲିଉଡ ଚଳଚ୍ଚିତ୍ର ଗଦର-୨ରୁ ନେଇ ଏବେ ସବୁଠି ଚର୍ଚ୍ଚା। ଫିଲ୍ମ ଦେଖିବାକୁ ହଲରେ ଲାଗୁଛି ନାହିଁ ନଥିବା ଭିଡ଼ । ହଲରେ ସନ୍ନି ଦେଓଲଙ୍କ ଅଭିନୟ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ହେଲେ ତାଙ୍କ ଦମଦାର ଆକ୍ସନ ପଛରେ ରହିଛି ଜଣେ ଓଡ଼ିଆଙ୍କ ହାତ। ସିନେମାର ପ୍ରଚ୍ଛଦ ପଟରେ ରହି ଫଲି ଆର୍ଟିଷ୍ଟ ଭାବେ ଏହି ଓଡ଼ିଆ ଜଣଙ୍କ କାମ କରିଛନ୍ତି। ଛୋଟିଆ ଜିଲ୍ଲାରୁ ଯାଇ ମାୟାନଗରୀ ମୁମ୍ବାଇରେ ସଫଳତା ସାଉଁଟିଛନ୍ତି ଓଡ଼ିଆ ପୁଅ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ବରୁଣ ବିଷୋୟୀଙ୍କ ଜନ୍ମ। ଫିଲ୍ମ ଗଦରର ସଫଳତା ପଛରେ ରହିଛି ତାଙ୍କର ଅନେକ ଅବଦାନ । ସେ ଚଳଚ୍ଚିତ୍ରରେ ଅଭିନୟ କରିନାହାଁନ୍ତି ସତ ହେଲେ ଅଭିନୟ ପଛରେ ଥିବା ପ୍ରତିଟି ଶବ୍ଦ ହେଉଛି ତାଙ୍କର। ସନ୍ନି ଦେଓଲଙ୍କ ଚାଲିବା, ଦୌଡ଼ିବା, ନିଃଶ୍ୱାସ ପ୍ରଶ୍ୱାସ ନେବା ଆଦି ପ୍ରତିଟି ଶବ୍ଦର ଅବିକଳ ନକଲ କରିଛନ୍ତି ବରୁଣ । କାଚ ଭାଙ୍ଗିବା, କବାଟ ଝରକା ଖୋଲିବା, ବନ୍ଦ କରିବା ବେଳେ ଯେଉଁ ଶବ୍ଦ ସବୁ ଶୁଣିବାକୁ ମିଳେ ତାକୁ ପରଦା ପଛରେ ରହି ଜୀବନ୍ତ କରିଛନ୍ତି ସେ। ତେବେ କେବଳ ଗଦର ନୁହେଁ ପୂର୍ବରୁ ଅନେକ ହିନ୍ଦି, ବଙ୍ଗାଳୀ, ମରାଠୀ ତେଲୁଗୁ ଏବଂ ଗୁଜରାଟୀ ସିନେମାରେ ଫଲି ଆର୍ଟିଷ୍ଟ ଭାବେ ସେ କାମ କରିଛନ୍ତି।
ବରୁଣଙ୍କ ପାଇଁ ଦାରିଙ୍ଗବାଡିରୁ ମୁମ୍ବାଇ ଯାତ୍ରା ଥିଲା ବେଶ ସଂଘର୍ଷମୟ। ସାମାନ୍ୟ ଜଣେ ଦରଜିରୁ ଫଲି ଆର୍ଟିଷ୍ଟ ହେବା ପାଇଁ ତାଙ୍କୁ କରିବାକୁ ପଡ଼ିଛି ଅନେକ କଷ୍ଟ। ଦାରିଙ୍ଗବାଡ଼ି ତିନିଛକର ଶ୍ରୀବତ୍ସ ବିଷୋୟୀଙ୍କ ତୃତୀୟ ପୁଅ ବରୁଣ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କ ପାଢପଢାରେ ଡୋରି ବାନ୍ଧି ହୋଇଯାଇଥିଲା। କାରଣ ପରିବାର ଚଳାଇବାକୁ ପାଠପଢା ଛାଡ଼ି ବାପା କରୁଥିବା ସିଲେଇ କାମକୁ ଆଦରି ନେବାକୁ ସେ ବାଧ୍ୟ ହୋଇଥିଲେ। ମାତ୍ର ତାଙ୍କ ସ୍ୱପ୍ନ ଥିଲା ଭିନ୍ନ। ବଲିଉଡ ଯିବା ଥିଲା ତାଙ୍କର ସ୍ୱପ୍ନ। ଦରଜି କାମ କରୁଥିଲେ ମଧ୍ୟ ତାଙ୍କ ମନ ଯାଇ ସବୁବେଳେ ରହୁଥିଲା ବଲିଉଡରେ। ନିଜ ପାଖରେ ଥିବା ୪୦୦ ଟଙ୍କା ଏବଂ ସାଙ୍ଗଠାରୁ ୫୦୦ ଟଙ୍କା ଉଦ୍ଧାର ନେଇ ୨୦୨୧ ମସିହାରେ ସେ ଚାଲିଯାଇଥିଲେ। ପ୍ରଥମେ କ୍ୟାଣ୍ଟିନ ବୟ ଭାବରେ କାମ କରୁଥିଲେ । ଷ୍ଟୁଡିଓକୁ ଖାଦ୍ୟ ନେବା ଆଣିବା କାମ ସେ କରୁଥିଲେ । ପରେ ଆରାଧନା ଷ୍ଟୁଡ଼ିଓରେ ଅଫିସ୍ ବୟ ଭାବରେ କାମ କରିଥିଲେ । ୨୦୦୫ ମସିହାରେ ଫଲି ଆର୍ଟିଷ୍ଟ ସହିତ ଅନ୍ୟ ଚାରୋଟି ବିଭାଗରେ କାମ ଶିଖି ଯାଇଥିଲେ । ଫଳରେ ୨୦୦୭ରେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ସେବେଠାରୁ ସେ ବଢ଼ିଚାଲିଛନ୍ତି ଆଗକୁ ଆଗକୁ ଆଉ ତାଙ୍କୁ ମିଳିଚାଲିଛି ସଫଳତା ।