ଓଡ଼ିଶା 365:(ବ୍ୟୁରୋ) ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି । ହେମନ୍ତ ସୋରେନଙ୍କୁ ଆସନ୍ତା ୨୪ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କୁହିଛି ଇଡି । ଏହା ପୂର୍ବରୁ ହେମନ୍ତ ସୋରେନଙ୍କୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ଏଡ଼ାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। କିଛି ଜରୁରୀ କାମ କହି ସୋରେନ ଇଡି ସାମ୍ନାରେ ହାଜର ହୋଇନଥିଲେ ।
ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବର ମାସରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ପଚରାଉଚରା କରିଥିଲା। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି। ଜମି ଦୁର୍ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ଗିରଫ ହୋଇସାରିଲେଣି। ଏହି ମାମଲାରେ ପଚରାଉଚରା ସମୟରେ କିଛି ରାଜନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।
ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି। ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏବେ ଏହାକୁ ଇଡି ଯାଞ୍ଚ କରୁଛି ।