ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ସମସ୍ତେ ଜାଣନ୍ତି କ୍ଷୀର ସ୍ୱାସ୍ଥ୍ୟ ପାଇଁ ହିତକାର । ସୁସ୍ଥ ଶରୀରର ଗଠନ ପାଇଁ କ୍ଷୀରର ଆବଶ୍ୟକତା ନିହାତି ଜରୁରୀ । ତେବେତ ମଣିଷ ଶରୀରରେ କ୍ଷୀର, ଔଷଧଭଳି କାମ କରିଥାଏ । ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଫ୍ୟାଟ୍ ଓ କାର୍ବୋହାଇଡ୍ରେଟ୍ ପରି ପୋଷକ ତତ୍ତ୍ୱ ବହୁ ପରିମାଣରେ ମହଜୁଦ୍ ହୋଇ ରହିଥାଏ । ନିୟମିତ କ୍ଷୀର ପିଇବା ଦ୍ୱାରା କେତେକ ରୋଗରୁ ରକ୍ଷା ପାଇପାରିବେ ।ଯଦି ଆପଣଙ୍କର ଘୋଳାବିନ୍ଧା ହେଉଛି ତେବେତ ଆପଣ ଗରମ କ୍ଷୀର ସହିତ ଅଧଚାମଚ ହଳଦୀ ପକାଇ ପିଇଲେ ଏହା ଶରୀରକୁ ବହୁ ଲାଭ ଦେଇଥାଏ । ତେବେ ଜ୍ବର ହେଉ କି ମୁଣ୍ଡବିନ୍ଧା ହେଉ ଗରମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଶୀଘ୍ର ଆଶ୍ୱସ୍ତି ମିଳିଥାଏ । ତେବେ ଆପଣ ଜାଣନ୍ତି କି? କ୍ଷୀର ସହ କେତେକ ଖାଦ୍ୟ ଖାଇବା ଆଦୌ ଉଚିତ୍ ନୁହେଁ । ନଚେତ୍ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଆୟୁର୍ବେଦ ଅନୁସାରେ କେତେକ ଖାଦ୍ୟ ରହିଛି, ଯାହାକୁ କ୍ଷୀର ପିଇବା ପରେ ଖାଇବା ବିମ୍ବା ପିଇବା ପୂର୍ବରୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।
ସୁସ୍ଥ ରହିବା ପାଇଁ ନିୟମିତ ଖାଦ୍ୟରେ ପୋଷକ ତତ୍ତ୍ୱରେ ଭରା ଖାଦ୍ୟକୁ ଗୁରୁତ୍ୱ ଦେବା ଉଚିତ୍ । ସେଥିପାଇଁ କ୍ଷୀରକୁ ଡାଏଟରେ ସାମିଲ୍ କରିବାକୁ କୁହାଯାଇଥାଏ ।
ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ-ଏ, ବି-୬, ଡି, କେ, ଫସ୍ଫରସ୍, ମ୍ୟାଗନେସିୟମ୍ ଓ ଆୟୋଡିନ୍ ଆଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ କେବେ କେବେ ଆମ ଭୁଲ୍ ଖାଦ୍ୟପାନୀୟର ପ୍ରଭାବ ଶରୀର ଉପରେ ପଡିଥାଏ ।
ମାଛ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ । କିନ୍ତୁ କ୍ଷୀର ଓ ମାଛକୁ ଏକାଠି ଖାଇବା ବେଳେ ବେଳେ ଶରୀର ପାଇଁ ବିଷ ଭଳି କାମ କରିଥାଏ । ପାଚନ ତନ୍ତ୍ରରେ ସମସ୍ୟା ଯେପରିକି ଫୁଡ୍ ପଏଜନିଂ, ପେଟ ଯନ୍ତ୍ରଣା ଆଦି ହେବାର ଆଶଙ୍କା ଉପୁଜିଥାଏ । ଯେପରିକି ଦୁଗ୍ଧ ସହ ଫଳ ଖାଇବା ଶରୀର ପାଇଁ କ୍ଷତିକାରକ । ସେହିପରି ନଡିଆ ସହ କ୍ଷୀର ଏକାଠି ଖାଇଲେ ପେଟ ସମସ୍ୟା ଦେଖାଯାଇଥାଏ ।
କ୍ଷୀର ସହ ଖଟାଫଳ ମଧ୍ୟ ଖାଇବା କଥା ନୁହେଁ, କାରଣ ଖଟା ଫଳ ଓ କ୍ଷୀର ଏକାଠି ଖାଇବା ଦ୍ୱାରା ବାନ୍ତି କିମ୍ବା ପେଟ ଯନ୍ତ୍ରଣା ହେବାର ଆଶଙ୍କା ରହିଥାଏ । ତେଣୁ ଖଟାଫଳ ଖାଇବାର ୨ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍ । କିଛି ଲୋକ କ୍ଷୀରରେ ଗୁଡ଼ ମିଶାଇ ପିଇଥାନ୍ତି । କିନ୍ତୁ ଆୟୁର୍ବେଦରେ କୁହାଯାଇଛି କ୍ଷୀର ସହ ଗୁଡ଼ ମିଶାଇ ପିଇବା ପେଟ ପାଇଁ କ୍ଷତିକାରକ । ତେଣୁ ଏହାକୁ ବାରଣ କରାଯାଏ ।