ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ହେଲାନି ନିଅଣ୍ଟିଆ ବର୍ଷା । ୨୫ରେ ବର୍ଷାକୁ ଆଶା ଲଘୁଚାପ ସତ୍ୱେ ରାଜ୍ୟରେ ହେଲା ନାହିଁ ନିଅଣ୍ଟିଆ ବର୍ଷା । ବିଶେଷ କରି ନିଅଣ୍ଟିଆ ବର୍ଷାର ସ୍ଥିତି ୧୦ ଜିଲ୍ଲାରେ ଲାଗି ରହିଛି । ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଜୁନ ୧ତାରିଖରୁ ଜଲାଇ ୧୮ତାରିଖ ଯାଏ ରାଜ୍ୟରେ ହାରାହାରି ବର୍ଷା ପରିମାଣ ସ୍ବାଭାବିକ ରହିଥିଲା । କିନ୍ତୁ ୧୦ ଜିଲ୍ଲାରେ କମ୍ ବର୍ଷା ହୋଇଛି ।
ଏପଟେ ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ, ପୂର୍ବଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ଦେହରି, ରାଞ୍ଚି ମଧ୍ୟଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏଁ ଲମ୍ବିଛି ।
୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୫ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।