ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରବାହ ଫଳରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀ ଆସିଛି ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଏଣୁ ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ଲଗାତାର ବର୍ଷା ଯୋଗୁଁ ବୈତରଣୀର ଜଳସ୍ତର ବଢୁଛି । ବୈତରଣୀ ନଦୀର ବନ୍ୟା ଜଳ ବିଶେଷ କରି ଚାଷୀ କୂଳକୁ ଚିନ୍ତାରେ ପକାଇଛି । ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି। ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି।
ଗତକାଲି ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ବୈତରଣୀ ନଦୀବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା। ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ନଦୀ ବନ୍ଧ ମରାମତି ନାଁରେ ଜଳ ସଂପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ି କରଣ ପାଇଁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।