ଓଡ଼ିଶା 365 (ବ୍ୟୁରୋ): ମା’ ଓ ମାଟିର ପର୍ବ ତଥା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ବଲାଙ୍ଗୀରର ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଆଜି ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଂଚମୀ ତଥା ସେପ୍ଟେମ୍ବର ୨୦ ତାରିଖ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ସମ୍ପନ୍ନ ହେବ ନବାନ୍ନ ବିଧି । ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତ କ୍ରମେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟରେ ବଲାଙ୍ଗୀରବାସୀ ନୂଆଁଖାଇବେ । ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରଶାଦ ଭାବେ ଶେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।
କହିରଖୁ କି, ନୂଆଁଖାଇ ପାଳନର ଏକ ଭିନ୍ନ ବିଶେଷତ୍ଵ ରହିଛି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ।