ଓଡ଼ିଶା365(ବ୍ୟୁରୋ): ଆଉ ମାତ୍ର ଚାରିଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ। ଚନ୍ଦ୍ରରେ ପାଣିର ସନ୍ଧାନ ଥିବା ନେଇ ସୂଚନା ଦେବ ଚନ୍ଦ୍ରଯାନ-3 । ତେବେ ଭାରତକୁ ଟକ୍କର ଦେବାକୁ ଋଷିଆ ବି ପୁରା ଦମରେ ଆଗରେ । ସେ ବି ଚନ୍ଦ୍ରପୃଷ୍ଠକୁ ପଠାଇଛି ଲୁନା-25 । ଚନ୍ଦ୍ରପୃଷ୍ଟର ସାଉଥ ପୋଲରେ କିଏ ପ୍ରଥମେ ପହଁଚିବ ତାହାକୁ ନେଇ ଏବେ ଚାଲିଛି ଆଲୋଚନା। ଚନ୍ଦ୍ରଯାନ-3 କି ଲୁନା-25 କିଏ ମାରିବ ବାଜି ତାହାକୁ ନେଇ ଜାରି ରହିଛି ସସପେନ୍ସ। ଏହି ଦୁଇ ମହାକାଶଯାନ ଏବେ ଚନ୍ଦ୍ର ନିକଟତମ କକ୍ଷରେ ଘୁରି ବୁଲୁଛନ୍ତି । ପ୍ରଥମେ କିଏ ସାଉଥପୋଲରେ ଅବତରଣ କରିବ ଆଉ ପାଣିର ସନ୍ଧାନ କିଏ ଦେବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ଋଷିଆର ଲୁନା-25 ଚନ୍ଦ୍ରର ଦକ୍ଷିଣ ପୋଲରେ ସପ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି। ସେହି ସାଉଥ ପୋଲର ଅନ୍ୟ ଏକ ସ୍ଥାନରେ ଚନ୍ଦ୍ରାୟନ-3ର ବିକ୍ରମ ଲ୍ୟାଣ୍ଡର ମଧ୍ୟ ସପ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି । ତେବେ କିଏ ଆଗ ସପ୍ଟ ଲ୍ୟାଣ୍ଡିଂ କରିବ ତାହା ସୂର୍ଯ୍ୟକିରଣ ଉପରେ ନିର୍ଭର କରୁଛି । ସୂର୍ଯ୍ୟଙ୍କ ଗତିପଥ ଅନୁସାରେ ହିଁ ସପ୍ଟ ଲ୍ୟାଣ୍ଡିଂ କରିବାକୁ ଦୁଇ ଦେଶର ମହାକାଶବିଜ୍ଞାନିମାନେ ନିଷ୍ପତ୍ତି ଦେଇଛନ୍ତି ।
ଲ୍ୟାଣ୍ଡିଂ ସ୍ପଟ୍ ଉପରେ ସୂର୍ଯ୍ୟ ଉଦୟ ହେବା ଜରୁରୀ। କାରଣ ସୂର୍ଯ୍ୟକିରଣ ଚନ୍ଦ୍ର ଭୂପୃଷ୍ଠରେ ମହାକାଶଯାନ ପାଇଁ ଶକ୍ତି ଯୋଗାଇବ। ଏବେ ଲୁନା -25 ଏବଂ ଚନ୍ଦ୍ରୟାନ-3 ଚନ୍ଦ୍ର କକ୍ଷପଥରେ ନିଜ ପଥରୁ କମ ଦୂରତାରେ ଭିନ୍ନ ପଥରେ ବୁଲୁଛନ୍ତି। ଚନ୍ଦ୍ରଯାନ-3 ସାଉଥ ପୋଲର ୬୯.୩୭˚ର ସମତଳ ସ୍ଥାନରେ ଅବତରଣ କରିବ। ଅଗଷ୍ଟ ୨୧ରେ ସୂର୍ଯ୍ୟ ଉଦୟ ଥିବ । ତେଣୁ ୨୩ରୁ ୨୪ ଭିତରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରୟାଗନ୍ ରୋଭର ଅବତରଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଅଗଷ୍ଟ ୨୩ଦିନ 5ଟା 47 ମିନିଟ ସମୟ ଧାର୍ଯ୍ୟ ହୋଇଛି। ସେହିପରି ଅଗଷ୍ଟ ୨୧ରୁ ୨୩ରେ ସାଉଥ ପୋଲରେ 72.9˚ରେ ଲୁନା-25 ଅବତରଣ କରିବ। ଏହି ଅଞ୍ଚଳ ସାଉଥ ପୋଲର ପୂର୍ବ ଦିଗରେ ଥିବାରୁ ସୂର୍ଯ୍ୟ ଏହି ସ୍ଥାନରେ ଅଗଷ୍ଟ ୨୦ରେ ଉଦୟ ହୋଇଥିବେ। ଲୁନା-25 ଯେଉଁ ଅଞ୍ଚଳରେ ଅବତରଣ କରିବ ସେହି ଅଞ୍ଚଳରେ ଆଗୁଆ ସୂର୍ଯ୍ୟ ଉଦୟ ହେବ। ତେଣୁ ଲୁନା-25 ଆଗ ଅବତରଣ କରିପାରେ ବୋଲି କୁହାଯାଉଛି । ଚନ୍ଦ୍ରରେ ଗୋଟିଏ ଦିନ ଯାହା ଆମର ସମୟ ହିସାବରେ ୧୫ଦିନ। ତେଣୁ ଆଲୋକ ଉପରେ ସବୁକିଛି ନିର୍ଭର କରୁଛି।
ବିକ୍ରମ ଏବଂ ପ୍ରଜ୍ଞାନର କାର୍ଯ୍ୟ ସମୟ ପ୍ରାୟ ୧୪ପୃଥିବୀ ଦିନ ସହ ସମାନ। ତେଣୁ କିଏ ଆଗ ଅବତରଣ କରିବ ତାହା ସୂର୍ଯ୍ୟକିରଣକୁ ନେଇ ସ୍ଥିର କରାଯିବ। ଲୁନା-25ର ଓଜନ ୧୭୫୦ କିଲୋଗ୍ରାମ ହୋଇଥିବା ବେଳେ ଲ୍ୟାଣ୍ଡରର ଓଜନ ୩୮୦୦ କିଲୋଗ୍ରାମ। ତେଣୁ ଚନ୍ଦ୍ରଯାନ-3କୁ ଅବତରଣ କରିବା ବେଳେ ସତର୍କ ରହିବାକୁ ପଡ଼ିବ। ଅନ୍ଧାରରେ ଅବତରଣ କରାଯାଇପାରିବ ନାହିଁ। ଏହା କାମ କରିବା ପାଇଁ ମଧ୍ୟ ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି। ଚନ୍ଦ୍ରର ସାଉଥ ପୋଲରେ ପାଣି ବା ବରଫ ରହିଥିବା ଅନେକ ଦିନରୁ କୁହାଯାଉଛି । ତେଣୁ ଋଷିଆ ଏବଂ ଭାରତ କିଏ ଏହା ଉପରେ ଅଧିକ ତଥ୍ୟ ଦେଇପାରୁଛି ତାହା ଦେଖିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।
ଯାତ୍ରା ସମୟର ପାର୍ଥକ୍ୟର ଅନେକ କାରଣ ରହିଛି
ଯାତ୍ରା ସମୟର ପାର୍ଥକ୍ୟର ଅନେକ କାରଣ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଭାରତର ମହାକାଶଯାନ ପୃଥିବୀ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଉପରେ ଅଧିକ ନିର୍ଭର କରୁଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି । ମାତ୍ର ଲୁନା-25ରେ ଉଚ୍ଚ ଶକ୍ତି ସମ୍ପନ୍ନ ରକେଟ ରହିଛି । ଫଳରେ ଏହା ବାହ୍ୟ ସାହାଯ୍ୟ ଉପରେ ନିର୍ଭର ନକରି ମହାକାଶଯାନକୁ ଶକ୍ତି ଯୋଗାଇବାରେ ସକ୍ଷମ ହେବ । ତେଣୁ ଏହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ଅଧିକ ଆଶା ରହିଛି । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଆଜିପର୍ଯ୍ୟନ୍ତ କୌଣସି ଦେଶର ଯାନ ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିବା ବେଳେ ଭାରତ ପାଇଁ ଏହା ଏକ ପ୍ରକାର ଚାଲେଞ୍ଜ ।
ଦୁହିଁଙ୍କ ମଧ୍ୟରେ ଧକ୍କା ହେବ କି ?
ଚନ୍ଦ୍ର ନିକଟରେ ଲୁନା 25 ଏବଂ ଚନ୍ଦ୍ରୟାନ-3 ମୁହାଁମୁହିଁ ହୋଇପାରନ୍ତି କି ବୋଲି ଏବେ ବଡ଼ ପ୍ରଶ୍ନ ଉଠିଛି ? ଏ ସମ୍ପର୍କରେ ଷ୍ଟେଟ କର୍ପୋରେସନ ରୋଜକୋସମୋସର ଆଭ୍ୟନ୍ତରୀଣ ତଥା ବାହ୍ୟ ଯୋଗାଯୋଗ କେନ୍ଦ୍ରର ମୁଖପାତ୍ର ଇଲିଆ ମୋରୋଜୋଭ କହିଛନ୍ତି ଯେ ‘ଉଭୟ ଲୁନା -25 ଏବଂ ଚନ୍ଦ୍ରଯାନ-3ର ଭିନ୍ନ ଭିନ୍ନ ଅବତରଣ ସ୍ଥାନ ରହିଛି। ଉଭୟର ଅବତରଣ ସମୟରେ ଧକ୍କା ହେବାର ଆଶଙ୍କା ବହୁତ କମ୍ ଅଟେ। ଉଭୟଙ୍କ ପାଇଁ ଚନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସ୍ଥାନ ଅଛି। ଯଦିଓ ଚନ୍ଦ୍ରଯାନର ୨୮ଦିନ ପରେ ଲୁନା-25 ଲଞ୍ଚ କରାଯାଇଥିଲା,ଏହାର ହାଲୁକା ଓଜନ ଏବଂ ଶକ୍ତିଶାଳୀ ରକେଟ୍ ଏହାକୁ ପ୍ରାୟ ୧୨ ଦିନ ମଧ୍ୟରେ ଚନ୍ଦ୍ରରେ ପହଞ୍ଚାଇଦେବ। ଉଦାହରଣ ସ୍ୱରୂପ, ଚନ୍ଦ୍ରଯାନ-3ର ଓଜନ ୩୯୦୦ କିଲୋଗ୍ରାମ ଏବଂ ଲୁନା-25ର ଓଜନ ୧୭୫୦ କିଲୋଗ୍ରାମ।
ଲୁନା-25ରେ କଣ ସବୁ ରହିଛି ?
ଲୁନା-25ରେ ଚାରି ଗୋଡ ବିଶିଷ୍ଟ ଲ୍ୟାଣ୍ଡର ରହିଛି । ଯେଉଁଥିରେ ଲ୍ୟାଣ୍ଡିଂ ରକେଟ୍ ଏବଂ ପ୍ରୋପେଲାଣ୍ଟ ଟ୍ୟାଙ୍କ ରହିଛି। ଏହାରି ଉପର ଭାଗରେ ବିଜ୍ଞାନ ସମ୍ବନ୍ଧୀୟ ଯନ୍ତ୍ରପାତି ଯଥା ସୌର ପ୍ୟାନେଲ, ଯୋଗାଯୋଗ ଉପକରଣ, କମ୍ପ୍ୟୁଟର, ରେଡିଓ ଥର୍ମାଲ୍ ହିଟର ଏବଂ ରେଡିଏଟର ରହିଛି। ଏହାସହ ଲ୍ୟାଣ୍ଡରରେ ୨୦-୩୦ ସେମି ଗଭୀରତା ପର୍ଯ୍ୟନ୍ତ ଭୂପୃଷ୍ଠ ରେଜୋଲିଥ୍ ଅପସାରଣ ଏବଂ ଏକତ୍ରିତ କରିବା ପାଇଁ ୧.୬ମିଟର ଲମ୍ବ ରୋବୋଟିକ୍ ଆର୍ମ ମଧ୍ୟ ଥିବା ନାସା ପକ୍ଷରୁ କୁହାଯାଇଛି ।
ଚନ୍ଦ୍ରଯାନ ଏବଂ ଲୁନା-25ର ଖର୍ଚ୍ଚ ପରିମାଣ
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଅନୁଯାୟୀ, ଚନ୍ଦ୍ରଯାନ-3 ପ୍ରସ୍ତୁତି ପାଇଁ ମୋଟ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରଯାନ-3ର ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ଏବଂ ପ୍ରୋପଲିସନ୍ ମଡ୍ୟୁଲ ତିଆରି କରିବାର ମୂଲ୍ୟ ୨୫୦ କୋଟି ଟଙ୍କା। ଏଥିସହ ଏହାର ଲଞ୍ଚିଂ ପାଇଁ ୩୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ମୋଟ ମୂଲ୍ୟ ଚନ୍ଦ୍ରୟାନ-୨ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍। ୨୦୦୮ରେ ପଠାଯାଇଥିବା ଚନ୍ଦ୍ରଯାନ-୧ର ଖର୍ଚ୍ଚ ଥିଲା ୩୮୬ କୋଟି ଟଙ୍କା। ସେହିଭଳି ୨୦୧୯ରେ ପଠାଯାଇଥିବା ଚନ୍ଦ୍ରଯାନ-2ରେ ମୋଟ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ ସମସ୍ତ ତିନୋଟି ମିଶନରେ ଇସ୍ରୋର ମୋଟ ଖର୍ଚ୍ଚ ହେଉଛି ୧ ହଜାର ୯୭୯କୋଟି ଟଙ୍କା।
1960 ମସିହାରେ ଆମେରିକା ଏହାର ଚନ୍ଦ୍ର ମିଶନ ଆରମ୍ଭ କରିଥିଲା । ସେତେବେଳେ ତାଙ୍କ ମିଶନରେ ମୋଟ ୨୮.୮ ବିଲିୟନ ଡ଼ଲାର ଖର୍ଚ୍ଚ ହୋଇଥିଲା। ବର୍ତ୍ତମାନର ହିସାବରେ ଦେଖିଲେ,ଏହା ୧୭୮ ବିଲିୟନ ଡଲାର ସହିତ ସମାନ । ଟଙ୍କା ଦୃଷ୍ଟିରୁ ଏହାର ପରିମାଣ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା। ଅର୍ଥାତ ଇସ୍ରୋ ତୁଳନାରେ ନାସାର ଚନ୍ଦ୍ର ମିଶନର ଖର୍ଚ୍ଚ ପ୍ରାୟ ୩ ହଜାର ଗୁଣ ଅଧିକ ଥିଲା। କିଛିବର୍ଷ ପୂର୍ବରୁ ଇସ୍ରୋ ମଙ୍ଗଳଯାନ ମଧ୍ୟ ଲଞ୍ଚ କରିଥିଲା। ଏହାର ମୋଟ ଖର୍ଚ୍ଚ ପ୍ରାୟ ୪୫୦କୋଟି ଟଙ୍କା ଥିଲା ଯେତେବେଳେ ୨୦୧୩ରେ ଆସିଥିବା ହଲିଉଡ ଚଳଚ୍ଚିତ୍ର ଗ୍ରାଭିଟିରେ ୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।