ଓଡ଼ିଶା 365 (ବ୍ୟୁରୋ): ଗୋ ଇଣ୍ଡିଆ ଆଡଭେଞ୍ଚର ଟିମ୍ର ୩ଜଣ ଓଡ଼ିଆ ପର୍ବତାରୋହୀ ଗୁରୁବାର ୟୁରୋପ୍ ଓ ରୁଷର ସର୍ବୋଚ୍ଚ ଗିରିଶୃଙ୍ଗ ‘ମାଉଣ୍ଟ ଏଲ୍ବ୍ରସ୍’ ଶିଖରରେ ପହଞ୍ଚି ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେମାନେ ହେଲେ ଚିନ୍ମୟ ସିଂହ, ଶ୍ରୀକାନ୍ତ ଖୁଣ୍ଟିଆ ଏବଂ ଡା. ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା । ମାଉଣ୍ଟ ଏଲ୍ବ୍ରସର ଉଚ୍ଚତା ସମୁଦ୍ର ପତନଠୁ ୫,୬୪୨ ମିଟର ବା ୧୮,୫୧୦ ଫୁଟ୍ । ବହୁ ବାଧାବିଘ୍ନ ସତ୍ତେ୍ୱ ଏହି ୩ ଓଡ଼ିଆ ଶିଖରରେ ପହଞ୍ଚି ଜାତୀୟ ପତାକା ଉଡ଼ାଇଥିଲେ । ଏଥିସହ ସେମାନେ ଓଡ଼ିଆ ଜାତିର ଗୌରବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତାକା ମଧ୍ୟ ଉଡ଼ାଇଥିଲେ ।
ଗତ ୬ ତାରିଖ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ‘ଗୋ ଇଣ୍ଡିଆ’ ଆଡଭେଞ୍ଚର ଟିମ୍ ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ନୀଳାଚଳ ପରିଡ଼ାଙ୍କ ନେତୃତ୍ୱରେ ୧୭ଜଣିଆ ଦଳ ମାଉଣ୍ଟ ଏଲ୍ବ୍ରସ ଆରୋହଣ ପାଇଁ ରୁଷ ଯାତ୍ରା କରିଥିଲେ । ଏହି ଦଳରେ ଓଡ଼ିଶାରୁ ୫ଜଣ ସାମିଲ୍ ରହିଥିଲେ ।