ଓଡ଼ିଶା365(ବ୍ୟୁରୋ): ଚନ୍ଦ୍ରପୃଷ୍ଠର ଏକ ନୂଆ ଭିଡିଓ ପଠାଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ରେ ଲାଗିଥିବା ଲାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା ବା ଏଲପିଡିସି ଏହି ଭିଡିଓ ଉଠାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରଯାନ-୩ର ପ୍ରୋପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଲ୍ୟାଣ୍ଡର ନିଜେ ଆଗକୁ ବଢ଼ୁଛି । ଶୁକ୍ରବାର ଲ୍ୟାଣ୍ଡର ମଡ୍ୟୁଲ୍ ଡିବୁଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ପହଞ୍ଚିଥିଲା । ଲ୍ୟାଣ୍ଡର ମଡ୍ୟୁଲ ସଠିକ୍ ଅବସ୍ଥାରେ ଅଛି ବୋଲି ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି। ଏହା ସଫଳତାର ସହ ଡିବୁଷ୍ଟିଂ ଅପରେସନ କରିଥିଲା ଏବଂ ଯାହା ଏହାର କକ୍ଷପଥକୁ ୧୧୩ କିଲୋମିଟର x ୧୫୭ କିଲୋମିଟରକୁ ହ୍ରାସ କରିଥିଲା । ୨୦୨୩ ଅଗଷ୍ଟ ୨୦ତାରିଖରେ ଦ୍ବିତୀୟ ଡିକମିଶନ ଅପରେସନ୍ ହେବ।
ଗୁରୁବାର ଲ୍ୟାଣ୍ଡର ସଫଳତାର ସହ ପ୍ରୋପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା। ଲ୍ୟାଣ୍ଡର ମଡ୍ୟୁଲରେ ଗୋଟିଏ ଲ୍ୟାଣ୍ଡର ଏବଂ ଗୋଟିଏ ରୋଭର ରହିଛି। ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରକୁ ପାଖାପାଖି ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ଲ୍ୟାଣ୍ଡର ଏବେ ଏହାର ଉଚ୍ଚତା ହ୍ରାସ କରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ବଢିବ । ଏହା ୨୩ ତାରିଖରେ ଚନ୍ଦ୍ରକୁ ଓହ୍ଲାଇବାର ସମ୍ଭାବନା ରହିଛି । ବିକ୍ରମ ଲ୍ୟାଣ୍ଡର ଯେଉଁ ସମୟରେ ଚନ୍ଦ୍ରର ନିକଟତମ ସ୍ଥାନକୁ ଓହ୍ଲାଇବ ସେହି ସମୟରେ ଏହାର ଗତି ପ୍ରତି ସେକେଣ୍ଡରେ ୨ ମିଟର ପାଖାପାଖି ରହିବ । ବିକ୍ରମ ଲ୍ୟାଣ୍ଡର ୧୨ଡିଗ୍ରୀ ଢଳିବା ଅବସ୍ଥାରେ ଓହ୍ଲାଇପାରେ । ଗତି, ଦିଗ ଏବଂ ସମତଳ ଜମି ଖୋଜିବା ପାଇଁ ସମସ୍ତ ଯନ୍ତ୍ର ବିକ୍ରମ ଲ୍ୟାଣ୍ଡରର ସାହାଯ୍ୟ କରିବ । ଏହି ସମସ୍ତ ଯନ୍ତ୍ର ଲ୍ୟାଣ୍ଡିଂର ପାଖାପାଖି ୫୦୦ ମିଟର ପୂର୍ବରୁ ସକ୍ରିୟ ହେଇଯିବ ।
ଏହାପରେ ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଚାରୋଟି ପେଲୋଡସ୍ କାମ କରିବା ଆରମ୍ଭ କରିଦେବ । ଏହି ଚାରୋଟି ପେଲୋଡସ୍ ହେଉଛି ରମ୍ଭା,ଚାଷ୍ଟେ, ଇଲ୍ସା ଏବଂ ଲେଜର ରେଟ୍ରୋରିପ୍ଲେକ୍ଟର ଏରେ । ରମ୍ଭା ସୂର୍ଯ୍ୟଙ୍କଠାରୁ ଆସୁଥିବା ପ୍ଲାଜମାର ଘନତ୍ୱ ଏବଂ ମାତ୍ରାର ଯାଞ୍ଚ କରିବ । ଚାଷ୍ଟେ ଚନ୍ଦ୍ର ପୃଷ୍ଠରୁ ଆସୁଥିବା ତାପମାତ୍ରାର ଯାଞ୍ଚ କରିବ , ଇଲ୍ସା ଲ୍ୟାଣ୍ଡିଂ ସ୍ଥଳର ଆଖପାଖରେ ଭୂକମ୍ପ ଗତିବିଧିର ଯାଞ୍ଚ କରିବ ଏବଂ ଲେଜର ରେଟ୍ରୋରିପ୍ଲେକ୍ଟର ଏରେ ଚନ୍ଦ୍ରର ଡାଏନେମିକ୍ସକୁ ବୁଝିବା ପାଇଁ ପ୍ରୟାସ କରିବ ।