ଓଡ଼ିଶା 365:(ବ୍ୟୁରୋ) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମସମ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଲାଲୁ ଯାଦବଙ୍କୁ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛି ଏବଂ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛି । ମାମଲାର ଶୁଣାଣି ଆସନ୍ତା ୨୫ରେ ହେବ ।
ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ପାଞ୍ଚ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏହି ମାମଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଯାଇଛି। ମାର୍ଚ୍ଚ ୨୭ରେ ସିବିଆଇର ଅନ୍ୟ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ନୋଟିସ ଜାରି କରିଥିଲେ। ସିବିଆଇର ଆବେଦନକୁ ମୂଳ ଆବେଦନ ସହିତ ସୁପ୍ରିମକୋର୍ଟ ଯୋଡି ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ଶୁଣାଣି ପାଇଁ ରାଜି ହୋଇଛନ୍ତି।