ଓଡ଼ିଶା 365 (ବ୍ୟୁରୋ): ହିମାଚଳ ପ୍ରଦେଶରେ ବର୍ଷା ରଚିଛି ତାଣ୍ଡବ । ଭିଷଣ ବର୍ଷା ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ଓ ୭୪ ଲୋକଙ୍କର ମୃତ୍ୟୁ । ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି । ଚଳିତ ବର୍ଷ ମୌସୁମୀ ବର୍ଷା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଦିଲ୍ଲୀ ଓ ଉତ୍ତର ପ୍ରଦେଶକୁ ଭୟଙ୍କର ଭାବରେ ପ୍ରଭାବିତ କରିଛି। ତେବେ ଏମାନଙ୍କୁ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ବର୍ତ୍ତମାନ ସୁଦ୍ଧା ବି ପ୍ରକୃତିର ତାଣ୍ଡବ ଜାରି ରହିଛି । ଘର, ପୋଲ, ମନ୍ଦିର ଓ ରାସ୍ତା ସବୁ ଭୁଶୁଡ଼ି ଏକାକାର ହୋଇଛି । ବଣପାହାଡ଼ ଘେରା ସୁନ୍ଦର ହିମାଚଳ ପ୍ରଦେଶ ଏବେ ନାରଖାର ହୋଇଯାଇଛି।
ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି । ଶିମଲାରେ ଭୁଶୁଡ଼ି ପଡ଼ିଥିବା ଶିବମନ୍ଦିର ଅତଡ଼ା ତଳୁ ଆଉ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସେହିପରି ଗୁରୁବାର ଚାମ୍ବା ଜିଲ୍ଲାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ମନ୍ଦିର ଅତଢ଼ା ତଳେ ୮ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ସେମାନେ ଜୀବିତକି ମୃତ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଚାମ୍ବା ଜିଲ୍ଲାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହେବା ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୭୪ ହୋଇଛି ବୋଲି ରାଜ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରବିବାର ଠାରୁ ରାଜ୍ୟରେ ତିନି ଦିନ ଧରି ପ୍ରବଳ ବର୍ଷା ହୋଇଥିଲା । ଏହି ୩ ଦିନର ବର୍ଷାରେ ରାଜ୍ୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି ଜୁନ୍ ୨୪ ରେ ମୌସୁମୀ ଆରମ୍ଭ ହେବା ପରଠାରୁ ହିମାଚଳ ପ୍ରଦେଶରେ ବର୍ଷା ପାଇଁ ମୋଟ ୨୧୭ ଜଣଙ୍କର ମୃତ୍ୟୁ ଘଟିଛି। ଶିମଲାର ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।