ଓଡ଼ିଶା365(ବ୍ୟୁରୋ): ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଉଭୟ ରାଜ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବାକୁ ଅଛି । ତେବେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବା ପୂର୍ବରୁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ୯୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ ବିଧାନସଭା ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସେହିପରି ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ୩୯ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ମୋଦୀ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରିବାର ମାତ୍ର ଗୋଟିଏ ଦିନ ପରେ ଏଭଳି ଘୋଷଣା କରାଯାଇଛି। ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପ୍ରାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦେବାପାଇଁ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବୈଠକରେ ବରିଷ୍ଠ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋଦି। ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଉଭୟ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ହାରିଥିଲା। କିନ୍ତୁ ମଧ୍ୟପ୍ରଦେଶରେ କଂଗ୍ରେସ କନ୍ଦଳର ଫାଇଦା ନେଇ ବିଜେପି ସେଠାରେ କ୍ଷମତାକୁ ଆସିବାରେ ସଫଳ ହୋଇଥିଲା । ତେଣୁ ହାରିଥିବା ଏବଂ ଦୁର୍ବଳ ଥିବା ଆସନଗୁଡ଼ିକ ଉପରେ ଦଳ ଗୁରୁତ୍ବ ଦେଇଛି ।
ଆଗକୁ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅଛି। ଏହି ୫ ରାଜ୍ୟରୁ ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନା ବିଜେପି ସରକାର ନାହିଁ। ମଣିପୁର ହିଂସା ପାଇଁ ମିଜୋରାମରେ ବିଜେପିର ମେଣ୍ଟ ସହଯୋଗୀ ତଥା ଶାସକ ଦଳ ମିଜୋ ନେସନାଲ ଫ୍ରଣ୍ଟ୍ ସହ ଏହାର ସମ୍ପର୍କ ଟିକେ ବିଗିଡ଼ିବା ପରି ଜଣାପଡୁଛି। ଛତିଶଗଡ଼ ତାଲିକାରେ ବିଜେପି ଦୁର୍ଗ୍ ଲୋକସଭା ସାଂସଦ ବିଜୟ ବାଘେଲଙ୍କ ନାମ ରଖିଛି। ସେ ହେଉଛନ୍ତି ପାଟନର ପୂର୍ବତନ ବିଧାୟକ। ଚଳିତ ଥର ତାଙ୍କୁ ଏହି ସମାନ ଆସନରେ ପ୍ରାର୍ଥୀ କରାଯାଇଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ନାହିଁ। ମଧ୍ୟପ୍ରଦେଶରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଅନ୍ୟ ପ୍ରମୁଖ ମନ୍ତ୍ରୀମାନଙ୍କ ନାଁ ନାହିଁ। ଛତିଶଗଡ଼ରେ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୫ ଜଣ ମହିଳାଙ୍କ ନାଁ ରହିଛି। ତାଲିକାରେ ଏସ୍ଟି ଶ୍ରେଣୀରୁ ୧୦ ଏବଂ ଏସ୍ସି ଶ୍ରେଣୀରୁ ଜଣେ ପ୍ରାର୍ଥୀ ଅଛନ୍ତି। ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ପ୍ରଥମ ତାଲିକାରେ ୫ ମହିଳା ପ୍ରାର୍ଥୀଙ୍କ ନାମ ରଖିଥିବା ବେଳେ ଏସ୍ସି ଶ୍ରେଣୀରୁ ୮ ଏବଂ ଏସ୍ଟି ଶ୍ରେଣୀରୁ ୧୩ଜଣ ପ୍ରାର୍ଥୀ ରହିଛନ୍ତି । ଏହି ସମସ୍ତ ରାଜ୍ୟରେ କଳେବଳେ କୌଶଳେ ବିଜେପି ଶାସନ କରିବା ପାଇଁ ଚେଷ୍ଟା ଜାରି ରଖିଛି । ଦେଶରେ ଅନେକାଂଶରେ ବିଜେପି ହାଓ୍ୱା ବହୁଥିବା ବେଳେ ତାର ପୁରା ଫାଇଦା ନେବାକୁ ବିଜେପି ନିଶ୍ଚିତ ଭାବରେ ଚେଷ୍ଟା କରିବ ।