ଓଡ଼ିଶା365(ବ୍ୟୁରୋ): ଅକ୍ଟୋବର ୫ରୁ ଭାରତରେ ଖେଳିଯିବ ଦିନିକିଆ ବିଶ୍ୱକପ୍ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ଶକ୍ତ ଝଟକା। ଦଳର ଦୁଇ ଷ୍ଟାର୍ ଖେଳାଳି ଷ୍ଟିଭ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଦଳର ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଛନ୍ତି। ଏହାସହ ଉଭୟ ବିଶ୍ବକପ୍ ଖେଳିବା ନେଇ ବି ଆଶଙ୍କା ଦେଖାଦେଇଛି। କିଛିଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ବିଶ୍ବକପ୍ ଦଳ ଘୋଷଣା କରିଥିଲା। ଏଥିରେ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଦଳ ଘୋଷଣା କରିଥିଲା। ମାତ୍ର ଏବେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଷ୍ଟିଭ ସ୍ମିଥ୍ ଓ ମିଚେଲ ଷ୍ଟାର୍କ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି ।
ଦିନିକିଆ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଏବଂ ପରେ ଭାରତ ବିପକ୍ଷରେ ସିରିଜ୍ ଖେଳିବାର ସୁଯୋଗ ମିଳିଛି। ଏଭଳି ସ୍ଥିତିରେ ଦଳ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଥିଲା। ଅଧିନାୟକ ପ୍ୟାଟ୍ କମିନ୍ସ ଆହତ କାରଣରୁ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ । ଆଉ ଏବେ ସ୍ମିଥ୍ ଓ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳର ଚିନ୍ତା ବଢ଼ାଇ ଦେଇଛି । ହାତରେ ଆଘାତ ଲାଗିଥିବାରୁ ଷ୍ଟିଭ୍ ସ୍ମିଥ୍ ଉଭୟ ଟି-୨୦ ଓ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଆଷ୍ଟନ୍ ଟର୍ନରଙ୍କୁ ଟି-୨୦ ଦଳରେ ଏବଂ ମାର୍ନସ୍ ଲାବୁସାନେଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସେହିପରି ପିଠିରେ ଯନ୍ତ୍ରଣା କାରଣରୁ ମିଚେଲ ଷ୍ଟାର୍କ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦ୍ରୁତ ବୋଲର ସ୍ପେନ୍ସର ଜନସନ ଖେଲିବେ ବୋଲି ସୂଚନା ମିଳିଛି । ତେବେ ଏହି ଖେଳାଳି ଦଳରେ ସାମଲ ନହେବା ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ।