ଓଡ଼ିଶା 365 (ବ୍ୟୁରୋ) : ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଦୈନିକ ଖବର କାଗଜ ସମ୍ବାଦର ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ବିଜେଡିକୁ ଅକଳରେ ପକାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଏଥର ‘ଆମ ଘରର ହାଲଚାଲ’ ସ୍ତମ୍ଭରେ କଟାକ୍ଷର ଶୀକାର ହୋଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ୫-ଟି ବନାମ ୫-ମ ଲେଖି ସିଧା ସଳଖ ଟାର୍ଗେଟ କରିଛନ୍ତି ସୌମ୍ୟ। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି। ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇବା ଘଟଣାକୁ ଅବତାରଣା କରି ସେ ପାଞ୍ଚ-ମ ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି ‘ମ’ କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ।
ଏହାସହ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା ସୌମ୍ୟ କହିଛନ୍ତି ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିପାଇଁ ଓଡ଼ିଶା ଗସ୍ତ ଶେଷ ବେଳକୁ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତର ହିସାବ ୩୦୦ କୋଟି ଖର୍ଚ୍ଚର ଅନୁମାନ କରାଯାଉଛି। ଏହାସହ ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବାର ବି ନଜିର ରହିଛି। ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ। କେବଳ ୫-ଟି ସଚିବ ନୁହଁନ୍ତି ନିଜ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। ନବୀନ ବିଜେଡିର ସଂପତ୍ତି। ତେବେ ଦଳ କଣ ଏତେ ଦୁର୍ବଳ ହୋଇଗଲା ଯେ ତାର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ମଣିପୁର ପ୍ରସଙ୍ଗରେ ବି ଦଳ ନିରବ ରହିବା କଥା ଉଲ୍ଲେଖ କରିଛନ୍ତି ସୌମ୍ୟ। ପାର୍ଟି ଓ ମାଟି ମଧ୍ୟରେ ଦ୍ୱନ୍ଦ୍ୱ ହେଲେ ମାଟି ହିଁ ସବୁ ବେଳେ ଜିତିବ। ଆମ ଉତ୍କଳ ଜନନୀ ଏବେ ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛି। ନିଜ ଜନ୍ମଦିନ ଅବସରରେ ମାଟି ପାଇଁ ତ୍ୟାଗ ପ୍ରସଙ୍ଗ ବି ଉଠାଇ ରାଜନୈତିକ ଚର୍ଚ୍ଚା ଦିଗକୁ ଆହୁରି ସକ୍ରିୟ କରି ଉଭର ବିଜେଡି ଓ ୫-ଟି ସଚିବଙ୍କୁ ଅକଳରେ ପକାଇଛନ୍ତି ସୌମ୍ୟ ।