ଓଡ଼ିଶା 365 (ବ୍ୟୁରୋ): ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ ଜଷ୍ଟିସ୍ ଆନନ୍ଦଚନ୍ଦ୍ର ବେହେରା ହେବେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି । ଓଡ଼ିଶା ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଜଷ୍ଟିସ୍ ଶିବ ଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାକୋର୍ଟରେ ନିଯୁ୍କ୍ତି ମିଳିବ । ଏନେଇ ଉଭୟ ଜଷ୍ଟିସଙ୍କ ନାଁକୁ ସୁପାରିଶ କରିଛନ୍ତି ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେଇ ଗଠିତ କଲେଜିୟମ। ଗତ ଜାନୁଆରୀ ୧୭ରେ ଏହି ଦୁଇ ଜଷ୍ଟିସଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପାରିଶ କରାଯାଇଥିଲା । ଯାହାକୁ ଉଭୟ ରାଜପାଳ ଓ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି ।
ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେଶାରେ ୩୦ ବର୍ଷର ଅନୁଭବ ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି । ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି । ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।
ସେହିପରି ଆନନ୍ଦଚନ୍ଦ୍ର ବେହେରା ୧୯୬୪, ମେ ୨୩ରେ ବାଲେଶ୍ବରରେ ଜନ୍ମଗ୍ରହଣ କରିଥିଲେ। ଜୁଡିସିଆଲ ଅଫିସର ଭାବରେ ଆନନ୍ଦ ଚନ୍ଦ୍ର ବେହେରାଙ୍କର ବହୁ ଦିନର ଅଭିଜ୍ଞତା ରହିଛି । ବାଲେଶ୍ବରରେ ଉଭୟ ସିଭିଲ୍ ଏବଂ ଅପରାଧୀକ ମାମଲାରେ ଅଭ୍ୟାସ କରୁଥିଲେ। ଜଣେ ଓକିଲ ଭାବରେ ବହୁତ ଭଲ ଖ୍ୟାତି ଅର୍ଜନ କରଥିଲେ। ୨୦୦୪ରେ ଫାଷ୍ଟ ଟ୍ରାକ୍ ଜଜ୍ ଭାବରେ ନ୍ୟାୟପାଳିକାରେ ଯୋଗ ଦେଇଥିଲେ ଏବଂ ୨୦୧୩ରେ ଜିଲ୍ଲା ଜଜ୍ ଭାବେ ନିୟମିତ କ୍ୟାଡରରେ ନିଯୁକ୍ତ ହୋଇଥିଲେ। ସେ କଟକ, ଭୁବନେଶ୍ୱର, ସୁନ୍ଦରଗଡ, ରାଉରକେଲା, ଧର୍ମଗଡରେ ADJ ଥିଲେ। ଏହା ସହିତ ସେ ଜିଲ୍ଲା ଜଜ୍ ଭାବେ ଜଗତସିଂହପୁର ଏବଂ ବ୍ରହ୍ମପୁରରେ ନିଯୁକ୍ତ ହୋଇଥିଲେ। ଜୁଡିସିଆଲ ଅଫିସର ଭାବେ ବହୁତ ଅଭିଜ୍ଞ ଓ ଜଣେ ନ୍ୟାୟିକ ଅଧିକାରୀ ଭାବରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ଜଷ୍ଟିସ୍ ଆନନ୍ଦଚନ୍ଦ୍ର।