ଓଡ଼ିଶା 365 (ବ୍ୟୁରୋ): ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା ଝଟକା। ଡୋପ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଭାରତର ଏହି ଦ୍ରୁତତମ ଧାବିକା । ଯାହା ଚଳିତ ବର୍ଷ ଜାନୁୟାରୀ ୩ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଜାନୁୟାରୀ ୩ ତାରିଖରୁ ଦୂତୀ ଯେଉଁ ଇଭେଣ୍ଟଗୁଡିକରେ ଅଂଶ ଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ । ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଅଧ୍ୟକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି । ତଥାପି ଏହି ଦଣ୍ଡ ବିରୋଧରେ ଆଂଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ଆଗରେ ନିଜର ପକ୍ଷ ରଖିବାକୁ ଦୂତି ଚାନ୍ଦଙ୍କୁ ୨୧ ଦିନର ସମୟ ଦିଆଯାଇଛି ।
ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତୀ ନିଷିଦ୍ଧ ଔଷଧ ସେବନକୁ ସ୍ବୀକାର କରିଥିଲେ କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିପାରିନଥିଲେ । ତାଙ୍କ ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲା ବେଳେ ତାହାର ଲେଭଲ୍କୁ ଯାଞ୍ଚ କରିନଥିଲେ । ଏଥି ସହିତ ତାହାକୁ ୱାଡା ଦ୍ବାରା ଜାରି ହୋଇଥିବା ନିଷିଦ୍ଧ ଔଷଧ ତାଲିକା ସହ ନମିଳାଇ ସେବନ କରିଥିବା ପ୍ୟାନେଲ୍ ଜାଣିବାକୁ ପାଇଥିଲା । ଏହା ଫଳରେ ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧ ଓ ୨.୨ କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା । ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ଦିଆଯାଇଛି ।