ଓଡ଼ିଶା 365 (ବ୍ୟୁରୋ): ପ୍ରଥମ ଥର ଲାଗି ଲୋକପ୍ରିୟ ଫେମିନାର କଭରପେଜରେ ସ୍ଥାନ ପାଇଲେ ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଅଗଷ୍ଟମାସ ସଂସ୍କରଣରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଥିଲା । ଯେଉଁଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଫେମିନା ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତିଙ୍କ ଫଟୋକୁ ନିଜ କଭର ଫଟୋ କରିବା ସହ ସଂଘର୍ଷର କାହାଣୀକୁ ସ୍ଥାନ ଦିଆଯାଇଛି । ଦେଶର ଜଣାଶୁଣା ମହିଳାଙ୍କୁ ନେଇ ପତ୍ରିକାର ପ୍ରତିମାସ ସଂସ୍କରଣରେ ପ୍ରେରଣାଦାୟୀ କଥା ପ୍ରକାଶିତ ହୁଏ । । ନିକଟରେ ଟାଇମ୍ସଗ୍ରୁପର ଏମଡି ବିନିତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପତ୍ରିକାର ପ୍ରଥମ କପି ଉପହାରଭାବେ ଦେଇଥିଲେ ।
ତେବେ ଏହି ପତ୍ରିକାରେ ମହାମହିମଙ୍କ ପୁରା ଯାତ୍ରା ରାଇରଙ୍ଗପୁରରୁ ରାଇସେନା ପର୍ଯ୍ୟନ୍ତ ଅସାଧାରଣ ଥିବା କଥା ସ୍ଥାନ ପାଇଛି । ଯାହା ପୁରା ଦେଶବାସୀଙ୍କ ପାଇଁ ପ୍ରେରଣା । ଓଡିଶାର ଏକ ଛୋଟ ସହରରୁ ତାଙ୍କର ଯାତ୍ରା ଆରମ୍ଭ, ଯେଉଁଠାରେ ପ୍ରାଥମିକ ଶିକ୍ଷା ପାଇବା ଏକ ସ୍ବପ୍ନ । ବହୁ ବାଧାବିଘ୍ନ ସତ୍ୱେ ଗାଁର ପ୍ରଥମ ଝିଅ, ଯିଏ କଲେଜ ଗଲେ । ଆଦିବାସୀ ସମ୍ପ୍ରଦାୟରେ ଜନ୍ମ ହୋଇ ପ୍ରଥମେ ୱାର୍ଡ କାଉନସିଲର ପରେ ରାଷ୍ଟ୍ରପତି ଆଶନରେ ବସିବାର ସୁଯୋଗ । ଏହା ହେଉଛି ଭାରତ ଭଳି ଗଣତନ୍ତ୍ରର ମହାନତା | ଏହି ପଦବୀରେ ରହିବା କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଦେଶର ପ୍ରତ୍ୟେକ ଆର୍ଥିକ ଅନଗ୍ରସର ମହିଳାଙ୍କ ସଫଳତା ବୋଲି ପତ୍ରିକାରେ ପ୍ରକାଶ କରାଯାଇଛି ।