ଓଡ଼ିଶା 365:(ବ୍ୟୁରୋ) ପିଏମ୍ ବିଶ୍ୱକର୍ମା ଯୋଜନା ଲାଗୁ କରିବେ ମୋଦି ସରକାର । ଏହି ଯୋଜନା ଦେଶର ଗ୍ରାମୀଣ ଏବଂ ସହରାଞ୍ଚଳର ପାରମ୍ପରିକ କାରିଗର ଏବଂ ଶିଳ୍ପକାରଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବ । ଏହି ଯୋଜନା ପାଇଁ ମୋଟ୍ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପରିକ ବେଉସାକୁ ସାମିଲ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆସନ୍ତା ପାଞ୍ଚ ବର୍ଷ ୨୦୨୩ରୁ ୨୦୨୮ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯିବ । ଏଭଳି ଯୋଜନାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଚ୍ଚ ପ୍ରଶଂସା କରିଛନ୍ତି ।
ନିଜର ହାତ ଓ ପାରମ୍ପରିକ ଉପକରଣରେ କାର୍ଯ୍ୟ କରୁଥିବା କାରିଗର ଏବଂ ଶିଳ୍ପକାରଙ୍କୁ ଗୁରୁ-ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କାରିଗର ଏବଂ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ୍ ମିଳିବ । ଏହି ପରିଚୟପତ୍ର ପାଇବା ପରେ ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟ ଏବଂ ୨ ଲକ୍ଷ ଟଙ୍କା ଦ୍ୱିତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଦକ୍ଷତା ଉନ୍ନତି, ଉପକରଣ ପାଇଁ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ। ଏହି ବେଉସା ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର । ସେହିପରି ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି,ମସିଣା,ଝାଡ଼ୁ,କପା ବୁଣାକାରଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ପାରମ୍ପରିକ ଖେଳନା ଓ କଣ୍ଢେଇ କାରିଗର, ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ମାନେ ମଧ୍ୟ ଏହାର ଲାଭ ପାଇବେ