ଓଡ଼ିଶା 365 (ବ୍ୟୁରୋ): ସମାଜରେ ଶାଳୀନତା ଆଣିବା ଲାଗି ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ। ମହିଳାମାନଙ୍କ ବିରୋଧରେ ରୂଢିବାଦୀ ଶବ୍ଦ ବ୍ୟବହାର ହୋଇପାରିବନାହିଁ । ମିଷ୍ଟ୍ରେସ, ସ୍ଲଟ, ରକ୍ଷିତା ଭଳି ୪୩ଟି ଶବ୍ଦ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଜାରି କରାଯାଇଛି ଏକ ହ୍ୟାଣ୍ଡବୁକ । ଏହି ହ୍ୟାଣ୍ଡବୁକ୍ ର ନାମ ହେଉଛି ଲିଙ୍ଗଗତ ଷ୍ଟେରିଓଟାଇପ୍ ସହିତ ମୁକାବିଲା । ବର୍ତ୍ତମାନ ବହୁ ଅଶ୍ଲୀଳ ଇଂରାଜୀ ଶବ୍ଦ ସମାଜରେ ବ୍ୟବହାର ହୋଉଛି। ସେଗୁଡିକ ହେଲା ପ୍ରଷ୍ଟିଚ୍ୟୁଟ, ହୁକର, ହୋର, କିପ୍, ମିଷ୍ଟ୍ରେସ, ସ୍ଲଟ । ଲିଙ୍ଗଗତ ସମାନତା ବୃଦ୍ଧି ତଥା ନ୍ୟାୟିକ କ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ହଟାଇବା ପାଇଁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
ଲିଙ୍ଗଗତ ଦୃଷ୍ଟିରୁ ବି ବହୁ ଅସଭ୍ୟ ଶବ୍ଦର ବ୍ୟବହାର କରାଯାଉଛି । ସେ ସବୁକୁ ହଟାଇବା ଲାଗି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏକ ହ୍ୟାଣ୍ଡବୁକ୍ ଲଞ୍ଚ କରିଛନ୍ତି । ଏହି ଶବ୍ଦଗୁଡିକ ପ୍ରତି ବିଚାରପତିମାନେ ଗୁରୁତ୍ବ ଦେବାକୁ ବି ସେ ପରାମର୍ଶ ଦେଇଛନ୍ତି । ଆଫେୟାର ଶବ୍ଦ ବଦଳରେ ବିବାହ ବାହାରେ ସମ୍ପର୍କ ବୋଲି ଏଥିରେ କୁହାଯାଇଛି। ବାଷ୍ଟାର୍ଡ ବଦଳରେ ବିନା ବିବାହରେ ଜାତ ସନ୍ତାନ କିମ୍ବା ସେହି ପିଲା ଯାହାର ବାପା-ମା ବିବାହ କରି ନଥିବେ ବୋଲି କୁହାଯାଇଛି।
ଚାଇଲ୍ଡ ପ୍ରଷ୍ଟିଚ୍ୟୁଟ ବଦଳରେ ଟ୍ରାଫିକିଂର ଶିକାର ହୋଇଥିବା ଶିଶୁ କୁହାଯିବ। ଡ୍ୟୁଟିଫୁଲ ଓ୍ବାଇଫ, ଫେଥଫୁଲ୍ ଓ୍ବାଇଫ, ଗୁଡ୍ ଓ୍ବାଇଫ, ଓବିଡିଏଣ୍ଟ ଓ୍ବାଇଫ ବଦଳରେ ମହିଳାଙ୍କୁ କେବଳ ଓ୍ବାଇଫ ବୋଲି କୁହାଯିବ। ହାଉସଓ୍ବାଇଫ ବଦଳରେ ମହିଳାଙ୍କୁ ହୋମମେକର କୁହାଯିବ। ପ୍ରଷ୍ଟିଚ୍ୟୁଟ ବଦଳରେ ସେକ୍ସଓ୍ବାର୍କର କୁହାଯିବ। ଅବିବାହିତ ମାଆଙ୍କୁ ମାଆ କୁହାଯିବ। ଇଣ୍ଡିଆନ ଓମେନ ଓ ଓ୍ବେଷ୍ଟର୍ଣ୍ଣ ଓମେନ ବଦଳରେ ଓମେନ କୁହାଯିବ ବୋଲି ସୂଚନା ଦିଆଯାଇଛି ।
କେଉଁ କମିଟି ପ୍ରସ୍ତୁତ କରିଛି ଏହି ହାଣ୍ଡବୁକ୍ ?
କୋଲକାତା ହାଇକୋର୍ଟ ଜଷ୍ଟିସ ମୌସମୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ହାଣ୍ଡବୁକକୁ ପ୍ରସ୍ତୁତ କରିଛନ୍ତି । ଏହି କମିଟିରେ ଅଛନ୍ତି ଅବସରପ୍ରାପ୍ତ ଜଷ୍ଟିସ ପ୍ରଭା ଶ୍ରୀଦେବନ, ଜଷ୍ଟିସ ଗୀତା ମିତ୍ତଲ ଏବଂ ପ୍ରୋସେକ୍ୟୁଟର ସେନ୍ ଫିଲହାଲ ।