ଓଡ଼ିଶା 365 (ବ୍ୟୁରୋ): ଗରିବ ପରିବାରରେ ତାଙ୍କର ଜନ୍ମ, ବାପା ଜଣେ କୃଷକ, ଅଭାବ ଅନାଟନରେ କଟିଛି ସମୟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସେ ବଢିଛନ୍ତି ଆଗକୁ । ତାଙ୍କ ସଫଳତାର ପଥ ରୋକିପାରିନି ଅର୍ଥ । ପାଢ ପଢ଼ିବା ପାଇଁ ତାଙ୍କୁ କରିବାକୁ ପଡିଛି ଅନେକ ସଂଘର୍ଷ । ପରେ ବ୍ୟବସାୟ ଆରମ୍ଭ କଲେ କୋଟି କୋଟି ଟଙ୍କାର ମାଲିକ ବି ହେଲେ। ପରେ ସମସ୍ତ ସମ୍ପତ୍ତି ଦାନ କରିଦେଲେ । ଏସବୁ କାହାଣୀ ପରି ଲାଗୁଥିଲେବି, କାହାଣୀ ନୁହେଁ ଏ ହେଉଛି ଏକ ରିୟଲ ହିରୋର କଥା । ବାସ୍ତବ ଜୀବନର ଏକେବଳ ହିରୋ ନୁହଁନ୍ତି ବରଂ ସମସ୍ତଙ୍କ ପାଇଁ ପ୍ରେରଣା ।
ଶ୍ରୀରାମ ଗ୍ରୁପ୍ର ପ୍ରତିଷ୍ଠାତା ରାମମୂର୍ତ୍ତି ତ୍ୟାଗ ରାଜନ୍। ତାଙ୍କର ୬୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପାଇଁ ଏକ ଛୋଟିଆ ଘର ଏବଂ ୪ ଲକ୍ଷ ଟଙ୍କାର କାର୍ ଛାଡ଼ି ତାଙ୍କର ସମସ୍ତ ସମ୍ପତ୍ତି କର୍ମଚାରୀଙ୍କ ପାଇଁ କରିଥିବା ଟ୍ରଷ୍ଟକୁ ଦେବାକୁ କରିଛନ୍ତି ଘୋଷଣା । ୮୬ ବର୍ଷୀୟ ତ୍ୟାଗରାଜନ୍ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ୭୫୦ ମିଲିୟନ ଡଲାର ପାଖାପାଖି ୬,୨୦୦ କୋଟିର ସମ୍ପତ୍ତି ଦାନ କରିଦେଇଛି। ‘ମୁଁ ଟିକିଏ ବାମପନ୍ଥୀ, କିନ୍ତୁ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କ ଜୀବନରେ ମୁଁ ସମସ୍ୟାକୁ କମ୍ କରିବାକୁ ଚାହୁଁଛି । ତ୍ୟାଗରାଜନ ଏହା ମଧ୍ୟ କହିଛନ୍ତି ଯେ, ‘ମୁଁ ପ୍ରମାଣ କରିବାକୁ ଚାହୁଁଛି ଯେ, କୌଣସି କ୍ରେଡିଟ୍ ସ୍କୋର ଏବଂ ନିୟମିତ ଆୟ ନଥିବା ଲୋକଙ୍କୁ ଋଣ ଦେବା ବିପଦଜନକ ନୁହେଁ, ଯାହାକି ସାଧାରଣରେ ଚର୍ଚ୍ଚା ହେଉଛି।
ତ୍ୟାଗରାଜନ କହିଛନ୍ତି, ଯେ ଗରିବ ଲୋକଙ୍କୁ ଋଣ ଦେବା ସମାଜବାଦର ଏକ ଅଂଶ। ଆମେ ସର୍ବନିମ୍ନ ହାରରେ ଲୋକଙ୍କୁ ଋଣ ପ୍ରଦାନ କରିବାକୁ ଚେଷ୍ଟା କରୁ। ଋଣ ଦେବାବେଳେ ଆମ ଗୋଷ୍ଠୀ ଋଣଗ୍ରହୀତାଙ୍କ କ୍ରେଡିଟ୍ ସ୍କୋରକୁ କେବେବି ଦେଖନ୍ତି ନାହିଁ। ରିପୋର୍ଟ ଅନୁଯାୟୀ, ଶ୍ରୀରାମ ଗ୍ରୁପ୍ ଋଣ ଦେବା ପୂର୍ବରୁ ଗ୍ରାହକଙ୍କ ସିବିଲ୍ ସ୍କୋର ଯାଞ୍ଚ କରେ ନାହିଁ।ଆର. ତ୍ୟାଗରାଜନ ୨୫ ଅଗଷ୍ଟ ୧୯୩୭ରେ ଚେନ୍ନାଇରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଗଣିତରେ ସ୍ନାତକ ତାପରେ କଲିକତାରେ ମାଷ୍ଟର ଡିଗ୍ରୀ କରିଥିଲେ। ସେ 1961ରେ ନ୍ୟୁ ଇଣ୍ଡିଆ ଏସିୟୋରାନ୍ସ କମ୍ପାନୀରେ ସାମିଲ୍ ହୋଇଥିଲେ। ସେ 37 ବର୍ଷ ବୟସରେ ବ୍ୟବାସାୟ ଆରମ୍ଭ କରିଥିଲେ। ଆଜି ତାଙ୍କ ପାଖରେ 30କମ୍ପାନୀ। ସେ ଏପ୍ରିଲ, ୧୯୭୪ରେ ଶ୍ରୀରାମ ଗ୍ରୁପ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଙ୍କ ସହିତ ସହ-ପ୍ରତିଷ୍ଠାତା ଭାବରେ ଏଭିଏସ୍ ରାଜା ଏବଂ ଟି ଜୟରାମନ୍ ଯୋଗ ଦେଇଥିଲେ। ଆରମ୍ଭରୁ, ଗ୍ରୁପ୍ ଏକ ଚିଟ୍ ଫଣ୍ଡ କମ୍ପାନୀ ଭାବରେ କାର୍ଯ୍ୟ କଲା, କିନ୍ତୁ ଧୀରେ ଧୀରେ କମ୍ପାନୀ ଋଣ ଏବଂ ବୀମା ବ୍ୟବସାୟରେ ମଧ୍ୟ ପ୍ରବେଶ କଲା। ଶ୍ରୀରାମ ଫାଇନାନ୍ସ ହେଉଛି ଭାରତର ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ NBFC। ଶ୍ରୀରାମ ଗ୍ରୁପ୍ ଋଣ ଏବଂ ବୀମା ସମ୍ବନ୍ଧୀୟ ସେବାଗୁଡିକ ବ୍ୟାପକ ପରିସରରେ ପ୍ରଦାନ କରେ। ୨୦୧୩ ମସିହାରେ, ତ୍ୟାଗରାଜନଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପ୍ରଦାନ କରିଥିଲେ ।