ଓଡ଼ିଶା365(ବ୍ୟୁରୋ): ବିଏମ୍ସିର ତଥ୍ୟ ଆଉ କ୍ୟାପିଟାଲର ହସ୍ପିଟାଲର ଚିତ୍ର ଦେଖିଲେ କିଏ ସତ କହୁଛି ଆଉ କିଏ ମିଛ ତାହା ସ୍ପଷ୍ଟ ଭାବରେ ଜଣାପଡ଼ିଯିବ । ବିଏମସିର ତଥ୍ୟ ହିସାବରେ,ରାଜଧାନୀରେ ୨୦୨୨ମସିହାରେ ମଶା ହାର ୧୯ ପ୍ରତିଶତ ଥିଲା । ସେହିପରି ୨୦୨୧ରେ ମଶା ହାର ୨୪ ଥିଲା ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ୧୦ ହଜାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି । ଯେଉଁଥିରୁ ମାତ୍ର ୧୧୭୬ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ମଶା ହାର ମାତ୍ର ୧୧ ପ୍ରତିଶତ ରହିଛି । ତେଣୁ ଅଧିକ ମଶା ବିଏମ୍ସି ଅଞ୍ଚଳକୁ କୁଆଡୁ ଆସିଲେ ବୋଲି ବିଏମସି ଓଲଟା ପ୍ରଶ୍ନ କରିଛି ?
ମାତ୍ର କ୍ୟାପିଟାଲ ହସ୍ପିଟାଲର ଚିତ୍ର ଦେଖିଲେ ତାହା ଅନ୍ୟ କିଛି ସୂଚନା ଦେଉଛି । ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ମେଡିକାଲ ଆସୁଛନ୍ତି ଆଉ ଡେଙ୍ଗୁ ପରୀକ୍ଷା ପାଇଁ ଲାଇନରେ ଛିଡ଼ା ହୋଉଛନ୍ତି । ଆରଏମ୍ଆରସିରେ ମଧ୍ୟ ସେହି ସମାନ ସ୍ଥିତି । ସେଠାରେ ମଧ୍ୟ ଲୋକମାନେ ଡେଙ୍ଗୁ ପରୀକ୍ଷା ପାଇଁ ଲାଇନ୍ ଲଗାଉଛନ୍ତି । ଏଥିରୁ ଘରୋଇ ହସ୍ପିଟାଲ ବି ବାଦ୍ ପଡ଼ିନି । ସେଠାରେ ବି ରୋଗୀଙ୍କ ଲମ୍ବା ଲାଇନ୍ । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ରାଜଧାନୀରେ ଡେଙ୍ଗୁ ଆଉ ନିୟନ୍ତ୍ରଣରେ ନାହିଁ।
ଭୁବନେଶ୍ୱରର କିଛି ଅଞ୍ଚଳରେ ପ୍ରତି ଘରେ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେଉଛନ୍ତି। ଏପରିକି ବିଏମ୍ସି କର୍ମଚାରୀ ଏବଂ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଡେଙ୍ଗୁରୁ ବାଦ ପଡ଼ିନାହାନ୍ତି। ଆଚାର୍ଯ୍ୟବିହାର, ନୂଆପଲ୍ଲୀ, ସହିଦନଗର ଭଳି ପ୍ରତିଷ୍ଠିତ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାତ୍ର ବିଏମ୍ସି ଏକଥାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ। ମଶା ନିୟନ୍ତ୍ରଣ ବଦଳରେ ପୁଣି ଡ୍ରୋନ୍ ସେବା ଆରମ୍ଭ କରୁଛନ୍ତି। ଯେଉଁ ଡ୍ରୋନ ଆତଙ୍କବାଦୀଙ୍କ ବ୍ୟବହାର ହୁଏ ତାହା ଏବେ ମଶାଙ୍କ ପାଇଁ । ଏଥିରୁ ଜଣାପଡୁଛି ଯେ, ମଶା ବୋଲ ମାନୁନାହାନ୍ତି । ମଶା ଧୂଆଁ ଆଉ ତେଲ ସେମାନଙ୍କୁ କାଟୁ କରୁନି । ରାଜଧାନୀରେ ସରକାରୀ ଭାବେ ୧୧୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ହେଲେ ବିଏମ୍ସିର ନିଦ ଭାଙ୍ଗୁନି କି ଚେତା ପଶୁନି । ବିଏମସି ଅଧିକାରୀ ଗାଲୁଆମି କରିବାରେ ବ୍ୟସ୍ତ ।
ବୁଧବାର ବିଏମ୍ସି ମୁଖ୍ୟାଳୟରେ ଡେଙ୍ଗୁ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଥିଲେ, ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯାହା ପଦକ୍ଷେପ ନିଆଯାଇଛି, ତାକୁ ଅଧିକ ଗତିଶୀଳ କରାଇବା ଦରକାର। ଚଳିତ ବର୍ଷ ଅଧିକ ସଂଖ୍ୟକ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୦ ହଜାର ୨୮୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧୬୪ ଜଣଙ୍କଠାରେ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛି । ଚଳିତ ବର୍ଷ ପଜିଟିଭ ପ୍ରାୟ ୧୧ ପ୍ରତିଶତ ଥିବା ବେଳେ ପୂର୍ବ ଦୁଇ ବର୍ଷ ତୁଳନାରେ ଏହା କମ୍ । ୨୦୨୨ରେ ଏହା ୧୯ ଏବଂ ୨୦୨୧ରେ ଏହା ୨୪ ପ୍ରତିଶତ ଥିଲା । ଚଳିତ ମାସ ୧୪ ତାରିଖ ସୁଦ୍ଧା ଚିହ୍ନଟ ଡେଙ୍ଗୁ ପଜିଟିଭଙ୍କ ମଧ୍ୟରୁ ୪୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଡାକ୍ତରଖାନାରେ ମାତ୍ର ୫୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ଏବଂ ସେଗୁଡିକୁ ନଷ୍ଟ କରିବା । ମଶା ତେଲ, ମଶା ଧୂଆଁ, ଘାସ କଟା ଆଦି କାମକୁ ବ୍ୟାପକ କରିବା ତଥ୍ୟ ଉପସ୍ଥାପନ କରାଯାଇଥିଲା । ଘର ଘର ସଂପର୍କ କାର୍ଯ୍ୟକ୍ରମରେ ୨୫ ହଜାରରୁ ଅଧିକ ପରିବାର ପରିଦର୍ଶନ ହୋଇଥିବା ବେଳେ ପ୍ରାୟ ୩୩ ହଜାର ମଶା ଲାର୍ଭା ନଷ୍ଟ କରିଦିଆଯାଇଛି । ୨୫ ଗାଡ଼ି ଭର୍ତ୍ତି ଅବ୍ୟବହୃତ ଟାୟାର ସଂଗ୍ରହ ହୋଇଛି । ଦୈନିକ ମଶାତେଲ ଏବଂ ମଶା ଧୂଆଁ ପ୍ରୟୋଗ କରାଯାଉଛି ବୋଲି କୁହାଯାଉଛି । ତେବେ ଯଦି ଏତେସବୁ କାମ ହେଉଛି ତାହା ମଶା କମିବା ବଦଳରେ ଏତେମାତ୍ରାରେ ବଢୁଛନ୍ତି କେମିତି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି କେମିତି ।
ଅନ୍ୟପକ୍ଷରେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା ବି ବିଏମସି ପକ୍ଷରୁ କୁହାଯାଉଛି।‘ଆଗ୍ରେସିଭ୍ ଆୱାରନେସ୍’ ଅର୍ଥାତ୍ ପ୍ରତ୍ୟେକ ଲୋକଙ୍କ ପାଖରେ ଯେଭଳି ସଚେତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ କରାଯାଉଛି। ମଶାଧୂଆଁ ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲ କିଣା ବାବଦ ଦିନକୁ ବିଏମସି ଖର୍ଚ୍ଚ କରୁଛି ୭୯ ହଜାର ଟଙ୍କା । ଏହି ହିସାବରେ ବିଏମସି ମାସକୁ ୨୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଛି । ମଶା ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ବିଏମସି ମାସକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏ ସବୁ ଧୂଆଁବାଣରେ ପରିଣତ ହୋଇଛି। ଯଦି ବାସ୍ତବରେ ଟଙ୍କା ଖର୍ଚ୍ଚ ହେଉଛି ତେବେ ଏଭଳି ସ୍ଥିତି କାହିଁକି । ବିଏମସିର ଏ ସମସ୍ତ କାର୍ଯ୍ୟକ୍ରମ କେଉଁଠାରେ କରାଯାଉଛି ଆଉ ଏହାର ପ୍ରଭାବ କେଉଁ ସ୍ଥାନରେ ପଡୁଛି ତାହା କେବଳ ସେମାନଙ୍କୁ ହିଁ ଜଣା । କାରଣ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ଯେ କେବଳ ବଢୁଛି ତାହା ନୁହେଁ ବରଂ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।