ଓଡ଼ିଶା 365 (ବ୍ୟୁରୋ): ଆସନ୍ତା ୩ଦିନ ବର୍ଷିବ ବର୍ଷା । । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ତେବେ ଆଜିଠାରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋବାନେଇ ସମ୍ଭାବନା ରହିଛି । ତେବେ ଏହି ବର୍ଷା ଚାଷିଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଇଛି । ଆସନ୍ତା ୧୮ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୯ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ଭାରୀ ବର୍ଷା ହେବ ।ଗୁରୁବାର ୫ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ଉତ୍ତର ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ୧୮ରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ବୌଦ୍ଧ, ସୋନପୁର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୮ରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ଜମି ଜଳବନ୍ଦୀ ସ୍ଥିତି ଉପୁଜିପାରେ । କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୮ରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଭାରୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।