ଓଡ଼ିଶା 365 (ବ୍ୟୁରୋ): ଅନୁପ୍ରବେଶର ଚରମ ସୀମାରେ ଅମାନିଆ ଆନ୍ଧ୍ର ପ୍ରଶାସନ। ଗୋଟେପଟେ ମୁହଁରେ ତୁଣ୍ଡିବାନ୍ଧି ଓଡ଼ିଶା ପ୍ରଶାସନ ଆନ୍ଧ୍ର ଅଧିକାରୀଙ୍କ ସବୁ ବର୍ବରତାକୁ ଓଡ଼ିଶା ପ୍ରଶାସନ ମୁଣ୍ଡପାତି ସହୁଥିବାବେଳେ ସେପଟେ ଏହାକୁ ଓଡ଼ିଶା ସରକାରଙ୍କୁ ଅସହାୟତା ବୋଲି ଭାବି ବାର ବାର ଅନୁପ୍ରବେଶ ବର୍ବରତାକୁ ଦୋବରାଉଛି ଆନ୍ଧ୍ର। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଚାଲ୍। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ଧୂଳିପଦରରେ ଆନ୍ଧ୍ର ତିଆରି କରିଛି ତେଲୁଗୁ ଫଳକ। ଯେଉଁଥିରେ ତେଲୁଗୁ ଭାଷାରେ ଲେଖାଯାଇଛି ଯେ, କେନ୍ଦ୍ରର ମନେରେଗା ଯୋଜନା ସହ ଜମି, ଜଳ, ଜଙ୍ଗଲ ସବୁ ତୁମର। ଏହାର ସୁରକ୍ଷା ତୁମ ହାତରେ ବୋଲି ଆନ୍ଧ୍ର ପ୍ରଶାସନ ତରଫରୁ ଲେଖାଯାଇଛି।
ଗତ ଶନିବାର ସନ୍ଧ୍ୟା ସମୟରେ ଧୂଳିପଦରରେ ଆନ୍ଧ୍ର ଅଧିକାରୀ ପହଞ୍ଚି ବୋର୍ଡଟିକୁ ନିର୍ମାଣ କରିଥିଲେ। ସେଥିରେ କେନ୍ଦ୍ରର ଯୋଜନା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି। ତେବେ ଆନ୍ଧ୍ର ଏବଂ କେନ୍ଦ୍ରର ମିଳିତ ଲେଖା ଦେଖି କୋଟିଆକୁ ହାତେଇବା ପାଇ ଆନ୍ଧ୍ରର ଏହା ନୂଆ ଚାଲ୍ ବୋଲି କହିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନାହିଁ। ସବୁଠୁ ବଡ଼ କଥା ହେଉଛି ଆନ୍ଧ୍ର ବାର ବାର ଏପରି ସୀମା ଉଲଂଘନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ଅଛନ୍ତି। ଏନେଇ ସେ ବିଶେଷ ତତ୍ପପତା ପ୍ରକାଶ କରିଥିବା ନଜିର ନାହିଁ ଯାହା ଓଡ଼ିଶା ବାସୀଙ୍କୁ କଷ୍ଟ ଦେଇଛି।