ଓଡ଼ିଶା 365:(ବ୍ୟୁରୋ) ଚନ୍ଦ୍ରଯାନ-୩ର ଆଉ ଏକ କକ୍ଷପଥ ପରିବର୍ତ୍ତନ ସମ୍ପନ୍ନ କରି ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି x ୧୬୩ କିମିରେ ପହଂଚିଛି । ଏହାପରେ ପ୍ରପଲ୍ସନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡିଂ ମଡ୍ୟୁଲରେ ଅଛି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।
ଆଜିର କକ୍ଷପଥ ପରିବର୍ତ୍ତନ ପରେ ଚନ୍ଦ୍ରଯାନ-୩ର ଚନ୍ଦ୍ର-ବନ୍ଧିତ କକ୍ଷପଥ ପରିବର୍ତ୍ତନ ଶେଷ ହୋଇଛି। ଏହାପରେ ଅଲଗା ଯାତ୍ରା ପାଇଁ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ ୭ ଦିନ ପରେ ଅର୍ଥାତ ଅଗଷ୍ଟ ୨୩ରେ ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ବୁଧବାରର ମାନିଉଭର ପରେ ଗୁରୁବାର ଲ୍ୟାଣ୍ଡର ଅଲଗା ହେବା ପାଇଁ ଆଉ ଏକ ମାନିଉଭର ହେବ। ଏହାପରେ ବିକ୍ରମକୁ ପୁଣି ଏକ ଅଣ୍ଡାକାର କକ୍ଷପଥରେ ସ୍ଥାପନ କରାଯିବ। ଏଥିରେ ଚନ୍ଦ୍ରପୃଷ୍ଠରୁ ବିକ୍ରମର ଦୂରତମ ଦୂରତା ୧୦୦ କିମି ଓ ନିକଟତମ ଦୂରତା ୩୦ କିମି ରହିବ। ତା’ପରେ ଅନ୍ତିମ ଅବତରଣ ପାଇଁ ଉଦ୍ୟମ କରାଯିବ।
୩୦ କିମି x ୧୦୦ କିମି କକ୍ଷପଥରେ ବିକ୍ରମକୁ ସ୍ଥାପନ କରିବାର ପ୍ରକ୍ରିୟା ସଫଳ ହେଲେ ଅବତରଣର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ସୂଚନା ଦେଇଛନ୍ତି ।