ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିରରେ ଚତୁଃଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କଲେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ସକାଳେ ସୀତାରମଣ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ଫେରି ଥିଲେ। ପରେ ମୁକ୍ତିମଣ୍ଡପରେ ପ୍ରଣାମ କରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପାଟଅଗଣା ଦେଇ ବାହାରକୁ ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ କରି ଧନ୍ୟ ହୋଇଥିବା କଥା କହିଛନ୍ତି ନିର୍ମଳା। ଏହା ପରେ ୯ଟା ୧୫ରୁ ୧୦ଟା ୧୫ ମଧ୍ୟରେ ‘ମୋ ମାଟି ମୋ ଦେଶ ଅଭିଯାନରେ ପୁରୀ ପେଣ୍ଠକଟା ଠାରେ ଥିବା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଥିରେ ତିନିହଜାର ଛାତ୍ରଛାତ୍ରୀ ସାମିଲ ହେବେ।
ତେବେ ୧୦ଟା ୩୦ ରୁ ୧୧ଟା ୧୫ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଗାଁ ବୀରହରେକୃଷ୍ଣପୁରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ଭୁବନେଶ୍ୱର ଫେରି ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ଣରେ କୁଇ ଓ ଦେଶିଆ ଭାଷାରେ ଲିଖିତ ପୁସ୍ତକର ଉନ୍ମୋଚନ ସହ ୨୦ତମ ‘ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ’ କନଫରେନସରେ ଯୋଗଦେବେ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।