ଓଡ଼ିଶା365(ବ୍ୟୁରୋ): ଲାଲକିଲ୍ଲାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ପତାକା ଉତ୍ତୋଳନ କରି ମୋଦି କହିଛନ୍ତି ଦେଶରେ ତାଙ୍କ ସରକାର ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ଦେଶ ବିକାଶ ପଥରେ ଆଗେଇଚାଲିଛି । ଦେଶକୁ ସମୃଦ୍ଧ କରିବା ପାଇଁ ‘ଆସନ୍ତାବର୍ଷ ଅଗଷ୍ଟ ୧୫ ତାରିଖରେ ପୁଣି ଥରେ ଏଠାରେ ଦେଖା ହେବା। ଯାହାକୁ ନେଇ ଦେଶରେ ଜୋରଦାର ଚର୍ଚା ଚାଲିଛି । ମୋଦୀ ତିନି ଦଶନ୍ଧିର ଅନିଶ୍ଚିତତା, ଅସ୍ଥିରତା ଏବଂ ରାଜନୈତିକ ବାଧ୍ୟବାଧକତା ପରେ ଏକ ଶକ୍ତିଶାଳୀ ତଥା ସ୍ଥିର ସରକାର ଗଠନ କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ କେବଳ ତାଙ୍କ ସରକାର ହିଁ ଦେଶକୁ ଆଗେଇ ନେଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର କେବଳ ଏକ ମାନଦଣ୍ଡ ‘ରାଷ୍ଟ୍ର ପ୍ରଥମ’ ସହିତ ସାମିଲ୍ ରହିଛି। ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ଏହି ଦିଗରେ କାର୍ଯ୍ୟ କରୁଛି । ମୋଦୀ ଅମଲାତନ୍ତ୍ରକୁ ତାଙ୍କ ହାତ ଏବଂ ପାଦ ବୋଲି କହିଛନ୍ତି, ଯେଉଁମାନେ ଭାରତର ପ୍ରତ୍ୟେକ କୋଣରେ କାର୍ଯ୍ୟ କରୁଛନ୍ତି ଏବଂ ପରିବର୍ତ୍ତନ ଆଣୁଛନ୍ତି ଏବଂ ସେଥିପାଇଁ ଏହି ‘ସଂସ୍କାର, ପ୍ରଦର୍ଶନ, ରୂପାନ୍ତର’ ଅବଧି ବର୍ତ୍ତମାନ ଭାରତର ଭବିଷ୍ୟତ ଗଠନ କରୁଛି। ଆମେ ସେହି ଶକ୍ତିଗୁଡ଼ିକୁ ଦେଶ ମଧ୍ୟରେ ପ୍ରୋତ୍ସାହିତ କରୁଛୁ, ଯାହା ଆସନ୍ତା ହଜାରେ ବର୍ଷର ମୂଳଦୁଆକୁ ମଜବୁତ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି ଯେ ବିଶ୍ୱରେ ଯୁବ ଶକ୍ତି ଏବଂ ଯୁବକମାନଙ୍କର ଦକ୍ଷତା ବିକାଶର ଆବଶ୍ୟକ ରହିଛି। ଦକ୍ଷତା ବିକାଶ ପାଇଁ ନୂତନ ମନ୍ତ୍ରଣାଳୟ କେବଳ ଭାରତର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ବର ଆବଶ୍ୟକତା ମଧ୍ୟ ପୂରଣ କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।
ମୋଦି କହିଛନ୍ତି ବର୍ତ୍ତମାନ ଦୁର୍ନୀତି, ପ୍ରିୟାପ୍ରୀତି ଓ ତୁଷ୍ଟୀକରଣ ଭଳି ତିନିଟି ଅସତ୍ କର୍ମ ଉପରେ ସଂଗ୍ରାମ କରିବାର ଆବଶ୍ୟକତା ରହିଛି । ପ୍ରଥମ ଅସତ୍ କର୍ମ ହେଲା ଦୁର୍ନୀତି ଯାହାକି ଆମ ଦେଶର ସମସ୍ତ ସମସ୍ୟାର ମୂଳ । ଦ୍ୱିତୀୟଟି ହେଲା ବଂଶାନୁବାଦ ରାଜନୀତି ଆମ ଦେଶକୁ ଧ୍ୱଂସ କରି ଦେଇଛି ବୋଲି ମୋଦୀ କହିଥିଲେ । ବଂଶଗତ ରାଜନୀତି ଦେଶକୁ ଜାବୁଡି ଧରିବା ସହ ଦେଶର ଜନସାଧାରଣଙ୍କ ଅଧିକାର ଛଡାଇ ନେଇଛି ।” ତୃତୀୟ ଅସତ୍ କର୍ମ ତୁଷ୍ଟୀକରଣ । ଏହି ତୁଷ୍ଟୀକରଣ ଦେଶର ମୌଳିକ ଭାବନା ଓ ଆମର ସୁସଙ୍ଗତ ଜାତୀୟ ଚରିତ୍ରକୁ କଳଙ୍କିତ କରିଛି ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ ଓ ତୁଷ୍ଟୀକରଣ ଏପରି ଆଚ୍ଛାଦିତ ହୋଇଯାଇଛି ଯେ ତାହା ଆମ ଦେଶର ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ମଧ୍ୟ ବଳିଯାଇଛି ।
ପ୍ରିୟାପ୍ରୀତି ଓ ବଂଶବାଦ ନେଇ ପ୍ରଧାନମନ୍ତ୍ରୀ ବଂଶାନୁକ୍ରମିକ ରାଜନୀତିକ ଦଳ ଓ ସେମାନଙ୍କ ପରିବାର ପାଇଁ ଓ ପରିବାର ଦ୍ୱାରା କ୍ଷମତା ହାସଲ ମେଧାଶକ୍ତିର ହତ୍ୟା ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “୨୦୧୪ ମସିହାରେ ମୁଁ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା କରିଥିଲି। ଦେଶବାସୀ ମୋତେ ବିଶ୍ବାସ କରିଥିଲେ। ମୁଁ ସେ ପ୍ରତିଜ୍ଞାକୁ ବିଶ୍ବାସରେ ବଦଳାଇଛି। ୨୦୧୯ ରେ ମୋତେ ମୋର ପ୍ରଦର୍ଶନ ଆଧାରରେ ଆପଣମାନେ ଆଶୀର୍ବାଦ ଦେଇଥିଲେ। ମୋତେ ପୁନର୍ବାର ସୁଯୋଗ ମିଳିଲା। ମୁଁ ଆଗାମୀ ଅଗଷ୍ଟ ୧୫ରେ ପୁଣି ଏଠାକୁ ଆସିବି। ଆପଣଙ୍କ ସବୁ ସ୍ବପ୍ନ ପୂରା କରିବି। ମୁଁ ଆପଣମାନଙ୍କ ପାଇଁ ବଞ୍ଚିଛି। କାରଣ ଆପଣମାନେ ମୋର ପରିବାର। ଆପଣମାନଙ୍କୁ ମୁଁ ଯନ୍ତ୍ରଣାରେ ଦେଖି ପାରିବିନି।’’ ନିର୍ବାଚନ ପୂର୍ବରୁ ମୋଦିଙ୍କ ଏପରି ଭାଷଣକୁ ନେଇ ବିରୋଧୀ ତାତିଛନ୍ତି । ମୋଦୀ ସରକାରକୁ ହଟାଇବା ପାଇଁ ବିରୋଧୀ ମେଳି ବାନ୍ଧିଥିବା ବେଳେ ମୋଦିଙ୍କ ଭାଷଣ ସାଧାରଣ ଜନତାଙ୍କୁ ବେଶ ଛୁଇଁଛି । ମୋଦିଙ୍କ ନଅ ବର୍ଷର ଶାସନକୁ ଦେଶବାସୀ କେମିତି ଗ୍ରହଣ କରୁଛନ୍ତି ଏବଂ ପୁଣି ମୋଦି ସରକାର ଗଠନ କରୁଛନ୍ତି କି ନାହିଁ ତାହା ସମୟ କହିବ ।